କରୋନା : ଇଟାଲୀକୁ ଟପିଲା ଆମେରିକା । ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଦେଖାଦେଲାଣି ଔଷଧର ଅଭାବ ।

580

କନକ ବ୍ୟୁରୋ : କରୋନା ମୃତ୍ୟୁରେ ଇଟାଲୀକୁ ଟପି ଯାଇଛି ଆମେରିକା । କରୋନା ଯୋଗୁଁ ଇଟାଲୀରେ ୧୯ ହଜାର ୫୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୦ ହଜାର ୫୦୦ ଟପି ଯାଇଛି ଆମେରିକାରେ କରୋନା ଜନିତ ମୃତ୍ୟୁ । ୫ ଲକ୍ଷ ୩୦ ହଜାରରୁ ଅଧିକ ଆମେରିକାବାସୀ ଏବେ କରୋନାରେ ସଂକ୍ରମିତ ହୋଇ ସଂଘର୍ଷ କରୁଛନ୍ତି । ଆମେରିକାରେ ଏପରି କୌଣସି ହସପିଟାଲ ନାହିଁ, ଯେଉଁଠି କରୋନା ଆକ୍ରାନ୍ତ ଚିକିତ୍ସିତ ହେଉନାହାନ୍ତି । ଏତେ ସଂଖ୍ୟକ କରୋନା ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଔଷଧ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଛି ।

ଆମେରିକାରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି କରୋନା ଭୂତାଣୁ । ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାକୁ କଲବଲ କରୁଛି କରୋନା । ଇଟାଲୀରେ ୧୯ ହଜାର ୫୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୦ ହଜାର ୫୦୦ ଟପି ଯାଇଛି ଆମେରିକାରେ କରୋନା ଜନିତ ମୃତ୍ୟୁ । ଯଦି ସଂକ୍ରମଣର ସଂଖ୍ୟା ଦେଖିବା ଇଟାଲୀ ଅପେକ୍ଷା ୩ ଗୁଣରୁ ଅଧିକ କରୋନା ରୋଗୀ ଆମେରିକାରେ । ଆଉ କରୋନାର ଉତ୍ପତି ସ୍ଥଳ ଚୀନ ଠାରୁ ୬ ଗୁଣରୁ ଅଧିକ ସଂକ୍ରମଣର ଶିକାର ହୋଇଛି ଆମେରିକା । ଦିନ ଯେତିକି ଗଡ଼ୁଛି, ସେତିକି ବଢ଼ୁଛି କରୋନା ସଂକ୍ରମଣ । କେବେ ଏହି ବିପଦରୁ ଦେଶ ମୁକୁଳିବ, ଏ ନେଇ କାହାରି ପାଖରେ ସ୍ୱଷ୍ଟ ଉତର ନାହିଁ ।

କରୋନାରେ ସବୁଠୁ ଅଧିକ ପ୍ରଭାବିତ ବିଶ୍ୱର ୩ଟି ଦେଶ –
ସାରା ବିଶ୍ୱରେ ମୋଟ ୧୭ ଲକ୍ଷ ୯୦ ହଜାର ଆକ୍ରାନ୍ତ, ୧ ଲକ୍ଷ ୯ ହଜାର ମୃତ୍ୟୁ
ଆମେରିକା: ୫ ଲକ୍ଷ ୩୩ ହଜାର ଆକ୍ରାନ୍ତ, ୨୦ ହଜାର ୫୮୦ ମୃତ୍ୟୁ
ସ୍ପେନ୍ : ୧ ଲକ୍ଷ ୬୬ ହଜାର ଆକ୍ରାନ୍ତ, ୧୬ ହଜାର ୯୭୨ ମୃତ୍ୟୁ
ଇଟାଲୀ: ୧ ଲକ୍ଷ ୫୨ ହଜାର ଆକ୍ରାନ୍ତ, ୧୯ ହଜାର ୪୬୮ ମୃତ୍ୟୁ

ସାରା ବିଶ୍ୱରେ ଯେତିକି ଲୋକ କରୋନାରେ ପ୍ରାଣ ହରାଇଛନ୍ତି, ଏହାର ଏକ ପଂଚମାଂଶ ମୃତ୍ୟୁ ହୋଇଛି ଆମେରିକାରେ । ୫୦ଟି ପ୍ରଦେଶକୁ ବ୍ୟାପି ଯାଇଛି କରୋନା । ସବୁ ହସପିଟାଲରେ ଭର୍ତି ହୋଇ ଯାଇଛନ୍ତି କରୋନା ରୋଗୀ । ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାରେ ଏପରି ସ୍ଥିତି ହୋଇଛି ଯେ ଔଷଧ ଠାରୁ ଭେଂଟିଲେଟର ପର୍ଯ୍ୟନ୍ତ ସବୁ କିଛିର ଅଭାବ ସୃଷ୍ଟି ହୋଇଛି । କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନର ୩ କୋଟି ଡୋଜ୍ ଆମେରିକାକୁ ପଠାଇଛି ଭାରତ ।

କରୋନା ପାଇଁ ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ସଂକ୍ରମଣ ରୋକିବାକୁ ଲକଡାଉନ୍ ଓ ସାମାଜିକ ଦୂରତା ଏକମାତ୍ର ଉପାୟ ହୋଇଥିବା ବେଳେ ପ୍ରଥମେ ଆମେରିକା ଏହାକୁ ଗୁରୁତ୍ୱ ଦେଇନଥିଲା । କିନ୍ତୁ ଭାରତ ଠିକ୍ ସମୟରେ ଲକଡାଉନ୍ ଭଳି କଠୋର ନିଷ୍ପତି ନେଇଥିବାରୁ ଏଠାରେ ସଂକ୍ରମଣ ମନ୍ଥର ହୋଇଛି । ଆମେରିକାର ସଂକ୍ରମଣ ରୋଗ ଓ ମହାମାରୀ ଉପରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ କହୁଛନ୍ତି, ଦେଶରେ ସ୍ୱାଭାବିକ ସ୍ଥିତି ଫେରିବାକୁ ନଭେମ୍ବର ମାସ ହୋଇଯିବ । ଯଦି ଏହା ସହ ହୁଏ, ତେବେ ଏହି ସମୟ ଭିତରେ ଆମେରିକାର ସ୍ଥିତି ଆହୁରି ସାଂଘାତିକ ହେବା ଆଶଙ୍କା କରାଯାଉଛି ।