ଭାରତ-ପାକିସ୍ତାନ ସୀମାରେ ଶାନ୍ତି ପାଇଁ ସହମତିକୁ ସ୍ୱାଗତ କଲା ଆମେରିକା । କହିଲା, ଏହି ପଦକ୍ଷେପ ଦକ୍ଷିଣ ଏସିଆରେ ଶାନ୍ତି ଆଣିବ ।

156

କନକ ବ୍ୟୁରୋ: ଦୀର୍ଘ ଦିନ ହେବ ଭାରତ, ପାକିସ୍ତାନ ଓ ଚୀନ ସୀମାରେ ଅଶାନ୍ତି ଲାଗି ରହିଥିଲା । ହେଲେ, ଅଚାନକ ଏଥିରେ ପରିବର୍ତନ ଆସିଛି । ଭାରତ, ଚୀନ ଓ ପାକିସ୍ତାନ ତିନି ରାଷ୍ଟ୍ର ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଯାହାକି ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବାଟ ଖୋଲିଛି । କାରଣ, ଏହି ତିନି ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର ନିଜ ନିଜ ଦେଶର ସୀମାକୁ ନେଇ ବାରମ୍ବାର ମୁହାଁମୁହିଁ ହେବା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଥିଲା । ଏପରିକି ସ୍ୱାଧୀନତା ପରେ ସୀମା ବିବାଦକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ୩ ଥର ଯୁଦ୍ଧ ହୋଇଛି ଓ ବାଣିଜ୍ୟ ସମ୍ପର୍କ ପ୍ରଭାବିତ ହୋଇଛି । ସେହିପରି ଗତବର୍ଷ ଏଲଏସିରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ।

ସବୁବେଳେ ସୀମାରେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନର ନରମ ହେବା ପଛର କାରଣ ସ୍ପଷ୍ଟ ଜଣାପଡି ନାହିଁ । ହେଲେ, ଆମେରିକାରେ ଟ୍ରମ୍ପ ଯୁଗର ଅବସାନ ପରେ ବାଇଡେନଙ୍କ ଯୁଗ ଆରମ୍ଭ ହୋଇଛି । ଟ୍ରମ୍ପଙ୍କ ଶାସନ କାଳରେ ଚୀନ ସହ ବନ୍ଧୁତା କରି ବେଶ ଅସୁବିଧାର ସମ୍ମୁଖୀନ ହୋଇଥିବା ପାକିସ୍ତାନ ବାଇଡେନଙ୍କ ସମୟରେ ଏଥିରେ କିଛିଟା ପରିବର୍ତନ ଆଣିବାକୁ ବାଧ୍ୟ ହୋଇଥିବା ଅନୁମାନ କରାଯାଉଛି । ସେହିପରି, ବାଇଡେନଙ୍କ ଶାସନ ଆରମ୍ଭରୁ ଭାରତ ଓ ଆମେରିକାର ସମ୍ପର୍କକୁ ଦେଖି ଚୀନ ମଧ୍ୟ ତାର ବିସ୍ତାରବାଦ ନୀତିରେ ରୋକ୍ ଲଗାଇବାକୁ ବାଧ୍ୟ ହୋଇଥିବା କୁହାଯାଉଛି । ଅନ୍ୟପଟେ ଚୀନ ଆମେରିକାର ପ୍ରମୁଖ ପ୍ରତିଦ୍ୱନ୍ଦୀ ହୋଇଥିବାରୁ ଓ ପାକିସ୍ତାନ ଚୀନର ନିକଟତର ହୋଇଥିବାରୁ ଭାରତ ବାଇଡେନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆକଳନ କରାଯାଉଛି । କିନ୍ତୁ ୱାଶିଂଟନ ଭାରତକୁ କେତେ ଗୁରୁତ୍ୱ ଦେବ ତାହା ଜଣା ପଡିନାହିଁ ।

ଏସବୁ ଭିତରେ ସୀମାରେ ଶାନ୍ତି ସ୍ଥାପନ ପାଇଁ ପାକିସ୍ତାନ ସହ ସହମତି ହୋଇଛି ଭାରତ । ଏଥିସହ ଚୀନ ସୀମାରେ ଶାନ୍ତି ସ୍ଥାପନ ପାଇଁ ପଛକୁ ହଟିବାକୁ ରାଜି ହୋଇଛି ଦିଲ୍ଲୀ । ଭାରତର ଚୀନ ଓ ପାକସ୍ତାନ ସହ ପାଖାପାଖି ୭ ହଜାର କିଲୋମିଟର ଲମ୍ବ ସୀମା ରହିଛି । ଯଦିଓ ଭାରତ ଓ ଚୀନ ସେନା ଉଭୟ ପଛକୁ ହଟିଛନ୍ତି, କିନ୍ତୁ ଏବେ ବି କେତେକ ସ୍ଥାନରେ ଦୁଇ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଏହାର ସମାଧାନ ପାଇଁ ଗୁରୁବାର ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୭୫ ମିନିଟ୍ ସମୟ ଧରି ଆଲୋଚନା ହୋଇଛି ।

– କଥାବାର୍ତା ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ପ୍ରତିପକ୍ଷ ୱାଙ୍ଗଙ୍କୁ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦେବା    ସହ ଦୁଇ ଦେଶର ସୀମାରେ ଶାନ୍ତିକୁ ଗୁରୁତ୍ୱ ଦେବାକୁ କହିଛନ୍ତି ।
-ଅନ୍ୟପଟେ ଚୀନ ବୈଦେଶକି ମନ୍ତ୍ରୀ ୱାଙ୍ଗ ପରସ୍ପର ବିଶ୍ୱାସ ଓ ବ୍ୟବହାରିକ ସହଯୋଗ ବଜାୟ ରଖିବା ପାଇଁ କହିଛନ୍ତି