କନକ ବ୍ୟୁରୋ: ୟୁକ୍ରେନ- ଋଷ ଯୁଦ୍ଧରେ ଭାରତର ନୀରବତା ଓ ଋଷ ଠାରୁ ତୈଳ କିଣିବାକୁ ନେଇ ଭାରତକୁ ପରୋକ୍ଷ ଧମକ ଦେଇଛି ଆମେରିକା । ଆମେରିକାର ଡେପୁଟି ଏନଏସଏ(ଜାତୀୟ ସୁରକ୍ଷା ଉପପରାମର୍ଶଦାତା) ଦଲିପ ସିଂହ ସମ୍ପ୍ରତ୍ତି ଭାରତ ଗସ୍ତରେ ଆସିଥିବାବେଳେ ଋଷ ସହ ଭାରତର ବାଣିଜ୍ୟିକ ସମ୍ପର୍କକୁ ନେଇ ଚେତାବନୀ ଦେଇଥିବା ଜଣାପଡିଛି । ମାସାଧିକାଳ ଧରି ୟୁକ୍ରେନ୍ ଉପରେ ଯୁଦ୍ଧ ଅବ୍ୟାହତ ରଖିଥିବାରୁ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଋଷ ବିରୋଧରେ ଏକାଧିକ କଟକଣା ଲାଗୁ କରିସାରିଛନ୍ତି ।
Advertisment
ଏହି ପରିପେକ୍ଷିରେ ଯଦି କୌଣସି ରାଷ୍ଟ୍ର ଏଭଳି କଟକଣାକୁ ଖାତିର କରି ଋଷ ନିକଟରୁ ତୈଳ କିଣନ୍ତି , ତେବେ ପରିଣାମ ଭୟାବହ ହୋଇପାରେ ବୋଲି ଦଲିପ କହିଛନ୍ତି । ଏପରିକି ଭାରତ ମଧ୍ୟ ଆମେରିକାର ଆକ୍ରୋଶରୁ ବର୍ତ୍ତିବ ନାହିଁ ବୋଲି ସେ ରୋକଠୋକ୍ ଶୁଣାଇଛନ୍ତି । ତେଲ କିଣା ପ୍ରସଙ୍ଗରେ ଋଷ ସହ ଟଙ୍କା –ରୁବଲ ମେକାନିଜିମକୁ କାର୍ଯ୍ୟକାରୀ କରାଗଲେ ଏହା ଆମେରିକା ପ୍ରତି ଶତ୍ରୁତାଭାବେ ପରିଗଣିତ ହେବ ବୋଲି ମଧ୍ୟ ସେ କହିଛନ୍ତି ।
ଆମେରିକା ଲାଗୁ କରିଥିବା କଟକଣା କେତେଦୂର ଯଥାର୍ଥ ତାହା ପ୍ରତିପାଦନ କରିବାକୁ ସେ ଭାରତ ଗସ୍ତରେ ଆସିଥିବା କହିଛନ୍ତି । ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ର ସହ ସୁସମ୍ପର୍କ ରଖିବାକୁ ଆମେରିକା ସର୍ବଦା ଅଗ୍ରହୀ  । ଏବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭାରତ ସମେତ ଅନ୍ୟ କୌଣସି ରାଷ୍ଟ୍ର ଯଦି ଋଷ ନିକଟରୁ ତେଲ କ୍ରୟ କରନ୍ତି ତେବେ ସେମାନେ ଏହି କଟକଣାର ଗୁରୁତ୍ୱକୁ ଅପମାନିତ କରୁଥିବା ବୁଝିବାକୁ ପଡିବ, ବା ଆମେରିକାର କଟକଣାକୁ ଭାଙ୍ଗିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ବୁଝିବାକୁ ପଡିବ ବୋଲି ଦଲୀପ ସିଂହ କହିଛନ୍ତି ।
ଖାଲି ଏତିକି ନୁହେଁ ଚୀନ ନାଁ ନେଇ ମଧ୍ୟ ଭାରତକୁ ଧମକାଇଥିଲେ ଦଲୀପ ସିଂହ । ୟୁକ୍ରେନ -ଋଷ ଯୁଦ୍ଧ ସମୟରେ ଭାରତ ନୀରବ ରହିବା ଓ ୟୁକ୍ରେନର ସହଯୋଗ ପାଇଁ ଆମେରିକାକୁ ସମର୍ଥନ କରୁନଥିବାରୁ ଭାରତ ଉପରେ ବର୍ଷିଥିଲେ ଦଲୀପ । କହିଥିଲେ ଏବେ ଭାରତ ୟୁକ୍ରେନ କିମ୍ବା ଆମେରିକାକୁ ସିନା ସମର୍ଥନ କରୁନାହିଁ । ଯଦି ଭବିଷ୍ୟତରେ ଚୀନ ଭାରତକୁ ଆକ୍ରମଣ କରେ ଋଷ ଭାରତକୁ ସାହାଯ୍ୟ କରିବ ତ? ସେତେବେଳେ ଭାରତର ରକ୍ଷା କିଏ କରିବ ବୋଲି ପ୍ରଶ୍ନ କରିଥିଲେ ଦଲୀପ ।
ହେଲେ ଭାରତ ବି ଚୁପ୍ ରହିନି । ଦଲୀପ ସିଂଙ୍କ ସବୁ ଚେତାବନୀର କଡା ଜବାବ ଦେଇଛନ୍ତି ଭାରତର ଜାତିସଂଘ ଅଧିକାରୀ । ‘ଦଲୀପ ଯେପରି ଭାରତ ପ୍ରତି ଯେଉଁଭଳି ଭାଷା ବ୍ୟବହାର କଲେ ତାହା କେତେ ଦୂର ଗ୍ରହଣୀୟ? ତାହାଲେ ଏହା କ’ଣ ଆମେରିକାର ବନ୍ଧୁତ୍ୱ? ଏହା କୂଟନୀତିର ଭାଷା ନୁହେଁ ବରଂ ଏହାର ଜବରଦସ୍ତି ଚାପ ପ୍ରୟୋଗର ଭାଷା । ଦଲୀପ ଙ୍କର ବୋଧହୁଏ ଜ୍ଞାନରେ ନାହିଁ ଯେ,  ଏକତରଫା ଦଣ୍ଡାତ୍ମକ ପ୍ରତିବନ୍ଧକ ଅନ୍ତରାଷ୍ଟ୍ରୀୟ ଆଇନର ଉଲଂଘନ’ ବୋଲି କହିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ଥିବା ସୈୟିଦ୍ ଅକବରୁଦ୍ଦିନ୍ ।
ତେବେ ଏସବୁ ଭିତରେ ଭାରତ ଆମେରିକାକୁ ସମର୍ଥନ କରି ୟୁକ୍ରେନକୁ ସାହାଯ୍ୟ କରିବ ନାଁ ନିଜର ପାରମ୍ପରିକ ବନ୍ଧୁ ଋଷ ସହ ସମ୍ପର୍କକୁ ଦୃଢ କରିବ ଏହା ଏବେ ବଡ ପ୍ରଶ୍ନ ଯାହା ଉପରେ ସାରା ବିଶ୍ୱର ନଜର ।