ତେଲ ପାଇଁ ସୃଷ୍ଟି ହେବ ‘ହାହାକାର’ ପରିସ୍ଥିତି । ମହଙ୍ଗା ହେବ ତେଲ ଦର, ଭାରତ ଉପରେ ପଡିବ ସାଙ୍ଘାତିକ ପ୍ରଭାବ ।

514

କନକ ବ୍ୟୁରୋ : ବାଗଦାଦ ଉପରେ ଆମେରିକାର ଆକ୍ରମଣ ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଉତେଜନା ବଢିବାକୁ ଲାଗିଛି । କୁହାଯାଉଛି ପ୍ରତିଶୋଧ ପରାୟଣ ହୋଇ ଷ୍ଟ୍ରେଟ ଅଫ ହାର୍ମୁଜ ବା ହୋର୍ମୁଜ ଜଳ ପ୍ରଣାଳୀକୁ ବନ୍ଦ କରିଦେଇପାରେ ଇରାନ । ସମୁଦ୍ର ମଧ୍ୟରେ ଥିବା ଏହି ଅଣ ଓସାରିଆ ଜଳପଥ ଦେଇ ଅଧିକାଂଶ ତୈଳ ଜାହାଜ ଯିବାଆସିବା କରିଥାଏ । ଇରାନ ହୋର୍ମୁଜକୁ ବନ୍ଦ କରିଦେଲେ ଚାରିଆଡେ ପେଟ୍ରୋଲ, ଡିଜେଲ ଓ କିରୋସିନ ଭଳି ଅନ୍ୟାନ୍ୟ ପେଟ୍ରୋଲିୟମଜାତ ତୈଳ ପାଇଁ ହାହାକାର ଆରମ୍ଭ ହୋଇଯିବ ।

ସାଉଦି ଆରବ, ଇରାକ, ୟୁଏଇ, କ୍ୱେତ, କତାର ଓ ଇରାନ ଭଳି ଦେଶ ହୋର୍ମୁଜ ଦେଇ ତୈଳ କାରବାର କରିଥାନ୍ତି । ଏହିଠାରୁ ସାରା ବିଶ୍ୱକୁ ପ୍ରତିଦିନ ପ୍ରାୟ ୧୫ ମିଲିୟନ ବ୍ୟାରେଲ ତୈଳ ରପ୍ତାନୀ ହୋଇଥାଏ । ତେଣୁ ଏହା ବନ୍ଦ ହୋଇଗଲେ ଆମେରିକା, ଇଂଲଣ୍ଡ ସମେତ ବିଶ୍ୱର ଅନେକ ଦେଶରେ ତେଲ ପାଇଁ ହାହାକାର ସୃଷ୍ଟି ହେବ । କେବଳ ତେଲର ଦର ବୃଦ୍ଧି ହେବନାହିଁ, ତୈଳ ଉତ୍ପାଦନକାରୀ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଉପୁଜିବ । ଭାରତ ଓ ଚୀନ ଭଳି ବୃହତ ଉପଭୋକ୍ତା ଦେଶରେ ତେଲ ଦରରେ ବୃଦ୍ଧିର ସବୁଠାରୁ ସାଂଘାତିକ ପ୍ରଭାବ ଦେଖିବାକୁ ମିଳିବ ।

ଆମେରିକା ଇରାନ ମଧ୍ୟରେ ତିକ୍ତତା ବିଶ୍ୱ ବଜାରରେ ତୈଳ ଦରକୁ ପ୍ରଭାବିତ କରିଛି । ଆଗକୁ ପରିସ୍ଥିତି ଆହୁରି ସାଂଘାତିକ ହେବା ଆଶଙ୍କା କରାଯାଉଛି । ଆସନ୍ତୁ ନଜର ପକାଇବା ଇରାନ କମାଣ୍ଡରଙ୍କ ମୃତ୍ୟୁ କଣ ପଡିପାରେ ପ୍ରଭାବ ।

ଇରାନ କମାଣ୍ଡରଙ୍କ ମୃତ୍ୟୁର ପ୍ରଭାବ

• ଇରାନ କମାଣ୍ଡରକୁ ହତ୍ୟା ପରେ ତେଲ ବଜାରରେ ଲାଗିଛି ନିଆଁ
• ଅଶୋଧିତ ତେଲ ଦର ୪ପ୍ରତିଶତ ବଢି ୬୯.୧୬ଡଲାର ହୋଇଛି
• ଭାରତ ଭଳି ବଡ ଖାଉଟୀ ଦେଶ ଉପରେ ଆମେରିକା-ଇରାନ ଅଶାନ୍ତିର ପ୍ରଭାବ ପଡିବ
• ନିଜର ୮୪ପ୍ରତିଶତ ତେଲର ଆବଶ୍ୟକତାକୁ ଆମଦାନୀ ଜରିଆରେ ପୂରଣ କରେ ଭାରତ
• ପ୍ରତିଶୋଧ ପରାୟଣ ହୋଇ ହୋର୍ମୁଜ ପ୍ରଣାଳିକୁ ଇରାନ ବନ୍ଦ କରିଦେଲେ ଅଟକି ଯିବ ତେଲ କାରବାର
• ହୋର୍ମୁଜ ଦେଇ ଯାତାୟତ କରେ ସାଉଦି ଆରବ, ଇରାକ, ୟୁଏଇ, କ୍ୱେତ ଓ କତାରର ତେଲ ଜାହାଜ
• ୨୦ପ୍ରତିଶତରୁ ଅଧିକ ପ୍ରଭାବିତ ହୋଇପାରେ ତେଲ ଯୋଗାଣ
• ଇରାକ ଓ ସାଉଦିଆରବଠାରୁ ଅଧିକ ପରିମାଣରେ ତେଲ କିଣୁଛି ଭାରତ
• ଇରାନ ଠାରୁ ତେଲ ଆମଦାନୀ କମାଇଥିଲେ ମଧ୍ୟ ଯୋଗାଣ ପ୍ରଭାବିତ ହେଲେ ମହଙ୍ଗା ହେବ ତେଲ ଦର
• ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲେ ମହଙ୍ଗା ପଡିବ ତେଲ ଆମଦାନୀ
• ଇରାନ ଉପରେ ଆମେରିକାର ଆକ୍ରମଣ ପରେ ବଢିଲା ସୁନା ଦର
• ୧୦ଗ୍ରାମ ସୁନା ଦର ୭୫୨ଟଙ୍କା ବଢି ୪୦ହଜାର ୬୫୨ଟଙ୍କାରେ ପହଂଚିଲା
• ରୁପା ଦର କିଲୋ ପିଛା ୯୬୦ଟଙ୍କା ବୃଦ୍ଧି
• ଏକ କିଲୋ ରୁପା ଦର ୪୮ହଜାର ୮୭୦ରେ ପହଂଚିଲା
• ଅନ୍ତଜାର୍ତୀୟ ବଜାରରେ ସୁନାଦର ୧୫ଶହ ୪୮ଡଲାର