ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ ବିଳମ୍ବିତ ରାତିରେ ଏକ ବିବୃତ୍ତିରେ ଚେତାବନୀ ଦେଇଛନ୍ତି ଯେ ଆବଶ୍ୟକ ସ୍ଥଳେ ସେ କଡ଼ା ପଦକ୍ଷେପ ନେବାକୁ ଦ୍ୱିଧା କରିବେ ନାହିଁ ।
ୟେମେନରେ ହୁତି ବିଦ୍ରୋହୀମାନଙ୍କ ଆଡ୍ଡା ଉପରେ ଆମେରିକା ଏବଂ ବ୍ରିଟେନ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଗତ ବର୍ଷ ଶେଷ ଆଡକୁ ଲୋହିତ ସାଗରରେ ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ ।
ରଏଟର୍ସ ରିପୋର୍ଟ ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀମାନେ ସାରା ଦେଶରେ ବିସ୍ଫୋରଣ ହୋଇଥିବା ନିଶ୍ଚିତ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ବିଳମ୍ବିତ ରାତିରେ ଏକ ବିବୃତ୍ତିରେ ଚେତାବନୀ ଦେଇଛନ୍ତି ଯେ ଆବଶ୍ୟକ ସ୍ଥଳେ ସେ କଡ଼ା ପଦକ୍ଷେପ ନେବାକୁ ଦ୍ୱିଧା କରିବେ ନାହିଁ ।
ବାଇଡେନ କହିଛନ୍ତି, 'ଏହି ଟାର୍ଗେଟେଡ୍ ଆକ୍ରମଣ ଏକ ସ୍ପଷ୍ଟ ବାର୍ତ୍ତା ପଠାଉଛି ଯେ ଆମେରିକା ଏବଂ ଆମର ଅଂଶୀଦାରମାନେ ଆମର କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବରଦାସ୍ତ କରିବେ ନାହିଁ କିମ୍ବା ଶତ୍ରୁମାନଙ୍କୁ ନାଭିଗେସନ୍ ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରିବାକୁ ଦେବେ ନାହିଁ।
'ହୁତି ଅଧିକାରୀ ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତିଜଣେ ହୁତି ଅଧିକାରୀ ରାଜଧାନୀ ସାନା ତଥା ସାଦା ଏବଂ ଧାମର ସହର ତଥା ହୋଡିଡା ପ୍ରଦେଶରେ ହୋଇଥିବା ଆକ୍ରମଣକୁ ଏହାକୁ 'ଆମେରିକୀୟ-ଜିଓନିଷ୍ଟ-ବ୍ରିଟିଶ ଆକ୍ରୋଶ' ବୋଲି ନିଶ୍ଚିତ କରିଛନ୍ତି ।
ବିମାନ, ଜାହାଜ, ବୁଡ଼ାଜାହାଜ ଦ୍ୱାରା ଆକ୍ରମଣ
ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ବିମାନ, ଜାହାଜ ଏବଂ ବୁଡ଼ାଜାହାଜ ଦ୍ୱାରା ଏହି ଆକ୍ରମଣ କରାଯାଉଛି । ଏହି ଅଧିକାରୀ କହିଛନ୍ତି ଯେ ଏକ ଡଜନରୁ ଅଧିକ ସ୍ଥାନକୁ ଟାର୍ଗେଟ କରାଯାଇଛି ଏବଂ ଏହି ଆକ୍ରମଣ ହୁତିଙ୍କ ସାମରିକ କ୍ଷମତାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ହୋଇଛି ଏବଂ ଏହା କେବଳ ଏକ ସାଙ୍କେତିକ ଆକ୍ରମଣ ନୁହେଁ, ଦରକର ପଡ଼ିଲେ ଆମେ ଆହୁରି ବଡ଼ ଆକ୍ରମଣ କରିବୁ । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣଗୁଡିକ ହୁତି ଆଡ୍ଡା ଉପରେ ଟମହାକ୍ କ୍ଷେପଣାସ୍ତ୍ର ଦ୍ଵାରା କରାଯାଇ ଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୁତିଙ୍କ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ ହୋଇଯାଇଛି ।
ହୁତି ବିଦ୍ରୋହୀମାନେ ୟେମେନର ଅଧିକାଂଶ ଅଞ୍ଚଳକୁ ନିୟନ୍ତ୍ରଣ କରିଥାନ୍ତି । ଗତ ବର୍ଷରୁ ସେମାନେ ଲୋହିତ ସାଗରରେ ଜାହାଜ ଚଳାଚଳ ଉପରେ ଆକ୍ରମଣ କରୁଛନ୍ତି । ଗାଜାକୁ ନିୟନ୍ତ୍ରଣ କରୁଥିବା ପାଲେଷ୍ଟାଇନ ଇସଲାମବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରି ସେମାନେ ଏହି ଆକ୍ରମଣ କରୁଛନ୍ତି ବୋଲି ସେମାନେ ଦାବି କରନ୍ତି । ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହମାସ୍ ଆକ୍ରମଣ ପରେ ଇସ୍ରାଏଲର ପାଲଟା ଆକ୍ରମଣ ଆରମ୍ଭ କରିଛି ଯେଉଁଥିରେ ଗାଜାରେ ୨୩,୦୦୦ ରୁ ଅଧିକ ପାଲେଷ୍ଟାଇନିୟଙ୍କ ମୃତ୍ୟୁ ହୋଇଛି । ହୁତି ବିଦ୍ରୋହୀମାନେ ଏପର୍ଯ୍ୟନ୍ତ ୨୭ ଟି ଜାହାଜ ଉପରେ ଆକ୍ରମଣ କରି ୟୁରୋପ ଏବଂ ଏସିଆ ମଧ୍ୟରେ ପ୍ରମୁଖ ମାର୍ଗରେ ଅନ୍ତର୍ଜାତୀୟ ବାଣିଜ୍ୟରେ ବାଧା ସୃଷ୍ଟି କରିଛନ୍ତି । ଯାହା ପୃଥିବୀର ସମୁଦ୍ର ମାର୍ଗରେ ହେଉଥିବା ପରିବହନର ପ୍ରାୟ ୧୫% ପରିବହନ କରିଥାଏ ।