ଦୋମୁହାଁ ନୀତି ପାଇଁ ଆମେରିକା ସ୍କାନରରେ ପାକିସ୍ତାନ : ଦ୍ୱିପାକ୍ଷିକ ବୁଝାମଣାର ସମୀକ୍ଷା କରିବା ନେଇ ବିଚାର କରୁଛି ବାଇଡେନ୍ ସରକାର

112

କନକ ବ୍ୟୁରୋ : ଦୋମୁହାଁ ନୀତି ପାଇଁ ପାକିସ୍ତାନ ଏବେ ଆମେରିକା ସ୍କାନରରେ । ଗୋଟିଏ ପଟେ ପାକିସ୍ତାନ ଆତଙ୍କବାଦକୁ ବିରୋଧ କରି ଆମେରିକା ସହିତ ରହିଥିବା ଦର୍ଶାଉଛି ହେଲେ ଅନ୍ୟପଟେ ପାକିସ୍ତାନ ଆଫଗାନିସ୍ତାନର ତାଲିବାନ ସରକାରକୁ ସମର୍ଥନ କରୁଛି । ଯାହାକୁ ଆମେରିକା ଆତଙ୍କବାଦୀ ନଜରରେ ଦେଖୁଛି । ଏହାକୁ ନେଇ ଆମେରିକାର ସାଂସଦମାନେ ବାଇଡେନ ସରକାରକୁ ଘେରିଥିଲେ । ଯାହାର ଜବାବରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଏବେ ଆମେରିକା ପାକିସ୍ତାନ ସହିତ କରିଥିବା ବିଭିନ୍ନ ବୁଝାମଣା ଉପରେ ସମୀକ୍ଷା କରିବ । ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ କବଜା କରିଛି ତାଲିବାନ ।

ଏହାପରେ ତାଲିବାନ ଆଫଗାନିସ୍ତାନରେ ସକ୍ରିୟ ହୋଇଛି । ନିକଟରେ ମନ୍ତ୍ରିମଣ୍ଡଳ ମଧ୍ୟ ଘୋଷଣା କରିଛି । ଏବେ ଏହାକୁ ନେଇ ପାକିସ୍ତାନ ବେସ୍ ଉତ୍ସାହିତ ରହିଛି । ପାକିସ୍ତାନର ଗୁଇନ୍ଦା ଅଧିକାରୀ, ସାମରିକ ଅଧିକାରୀଙ୍କ ପାଖରୁ ଆରମ୍ଭ କରି ନେତା ମନ୍ତ୍ରୀ ମଧ୍ୟ ତାଲିବାନ ସରକାରକୁ ନେଇ ବେସ୍ ଉତ୍ସାହିତ ରହିଛନ୍ତି । ତେଣୁ ଏବେ ଆମେରିକା ପାକିସ୍ତାନ ବାବଦରେ ସମୀକ୍ଷା କରି କହିବ ତାଲିବାନ ସରକାର ସହ ପାକିସ୍ତାନର ଭୂମିକା କଣ ରହିବା ଦରକାର । ଯଦି ଆମେରିକା ନେବାକୁ ଥିବା ନିଷ୍ପତିକୁ ପାକିସ୍ତାନ ଅଗ୍ରାହ୍ୟ କରେ ବା ମାନିବାକୁ ପ୍ରସ୍ତୁତ ନହୁଏ ତେବେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିପାରେ ବୋଲି ଅନୁମାନ କରାଯାଉଛି ।