ଭାରତକୁ ସହାୟତାର ହାତ ବଢାଇଲା ଆମେରିକା । ଅକ୍ସିଜେନ ଅଭାବକୁ ନଜରରେ ରଖି ପଠାଇଲା ୩୧୮ ଟି ‘ଅକ୍ସିଜେନ କନସେନଟ୍ରେଟର’

197

କନକ ବ୍ୟୁରୋ : ଭାରତରେ କରୋନା ମହାମାରୀ ଭିତରେ ଅକ୍ସିଜେନର ଅଭାବକୁ ନେଇ ଏବେ ଚିନ୍ତାରେ ସରକାର । ଏଭଳି ସଂକଟ ସମୟରେ ପଡୋଶୀ ଦେଶ ଆମେରିକା ଭାରତକୁ ୩୧୮ ଟି ‘ଅକ୍ସିଜେନ କନସେନଟ୍ରେଟର’ ପଠାଇଛି । ଆଜି ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’ ପଠାଇଛି। ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ଜେଏଫ୍‌କେ’ ଏୟାର୍‌ପୋର୍ଟରେ ଏୟାର୍‌ ଇଣ୍ଡିଆର ଏକ ବିମାନରେ ଏଗୁଡ଼ିକୁ ବୋଝେଇ କରି ଅଣାଯାଉଛି।

ମାରାତ୍ମକ କରୋନାଭାଇରସ୍‌ ସଙ୍କଟ ସହ ଲଢୁଥିବା ଭାରତ ପାଇଁ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଡାକ୍ତରୀ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା ଲାଗି ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍‌ ପ୍ରତିଶ୍ରୁତି ଦେଇଥିଲେ।

ଟୁଇଟ୍‌ କରି ଜୋ ବାଇଡେନ୍‌ କହିଥିଲେ, ମହାମାରୀର ପ୍ରାରମ୍ଭିକ କାଳରେ ଆମ ଡାକ୍ତରଖାନା ସବୁ ଉପକରଣଶୂନ୍ୟ ହୋଇଯାଇଥିବା ବେଳେ ଭାରତ ଯେମିତି ସହାୟତା ପଠାଇଥିଲା, ସେମିତି ଆବଶ୍ୟକ ବେଳେ ଭାରତକୁ ଆମେ ସହାୟକ ହେବାକୁ ପ୍ରତିବଦ୍ଧ।
ଅନ୍ୟ ଏକ ଟୁଇଟ୍‌ରେ ଉପରାଷ୍ଟ୍ରପତି କମଳା ହାରିସ୍‌ କହିଥିଲେ, କୋଭିଡ୍‌-୧୯ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ତୁରନ୍ତ ଅତିରିକ୍ତ ସହାୟତା ଏବଂ ସାମଗ୍ରୀ ଯୋଗଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ସରକାର ମିଳିତ ଭାବେ କାର୍ୟ୍ୟ କରୁଛନ୍ତି। ସହାୟତା ଯୋଗାଇଦେବା ସହ ଭାରତର ସାହସୀ ସ୍ୱାସ୍ଥ୍ୟସେବା କର୍ମୀଙ୍କ ସମେତ ଭାରତବାସୀଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।