ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଭେଟିଲେ ଆମେରିକାର ବୈଦେଶିକ ମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

137

କନକ ବ୍ୟୁରୋ : ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ମଧ୍ୟରେ ଦିଲ୍ଲୀରେ ବୈଠକ ହୋଇଛି । ଦେଢ ଘଂଟାର ଏହି ବୈଠକ ପରେ ବିଦେଶମନ୍ତ୍ରୀ ଜୟଶଂକର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ଲିଙ୍କେନ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ସୀମାରେ ଚାଲିଥିବା ସଂଘର୍ଷ ସମ୍ବନ୍ଧୀୟ ସମସ୍ତ ଜଟିଳ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହାସହ ଆଫଗାନିସ୍ଥାନରେ ବିଗିଡିଥିବା ସ୍ଥିତି ଓ ତାଲିବାନର ଦ୍ରୁତ ପ୍ରଭାବ ବୃଦ୍ଧି ଉପରେ ଡୋଭାଲ ଓ ବ୍ଲିଙ୍କେନଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିବା କୁହାଯାଇଛି ।

ଏହା ବ୍ୟତୀତ ଦୁଇଜଣଙ୍କ ମଧ୍ୟରେ ପାକିସ୍ତାନ ଓ ସୀମାପାର ଆତଙ୍କବାଦ ଉପରେ ବି ଚର୍ଚ୍ଚା ହୋଇଛି । ଏହାସହ ଆମେରିକା ଓ ଭାରତ ମଧ୍ୟରେ ସାମରିକ ସଂପର୍କ ବୃଦ୍ଧି କରିବା ନେଇ ସହମତି ହୋଇଥିବା କୁହାଯାଇଛି ।

ଆଜି ସକାଳେ ବ୍ଲିଙ୍କେନ ସିଭିଲ ସୋସାଇଟର ପ୍ରତିନିଧି ମାନଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ପରେ ବ୍ଲିଙ୍କେନ ଟ୍ୱିଟ୍ ମାଧ୍ୟମରେ କହିଥିଲେ କି ଆମେରିକା ଓ ଭାରତ ଲୋକତାନ୍ତ୍ରିକ ମୂଲ୍ୟ ପ୍ରତି ପ୍ରତିବଦ୍ଧତା ବ୍ୟକ୍ତ କରିବାକୁ ସଂକଳ୍ପବଦ୍ଧ । ସେ ଆହୁରି କହିଥିଲେ କି ସଭିଲ ସୋସାଇଟର ପ୍ରତିନିଧି ମାନଙ୍କ ସହ ମିଶି ସେ ବେସ୍ ଖୁସି ଅନୁଭବ କରୁଛନ୍ତି । ଆମେରିକା ଏବଂ ଭାରତ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ବାଣ୍ଟିଛନ୍ତି । ଏହା ଆମ ସମ୍ପର୍କର ମୂଳଦୁଆର ଏକ ଅଂଶ ଏବଂ ଏହା ଭାରତର ବହୁମୁଖୀ ସମାଜ ଏବଂ ସମନ୍ୱୟର ଇତିହାସକୁ ପ୍ରତିଫଳିତ କରେ ଜ୍ଝ ନାଗରିକ ଅନୁଷ୍ଠାନଗୁଡ଼ିକ ଏହି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରନ୍ତି । ”

ଆଫଗାନିସ୍ତାନରେ ଦ୍ରୁତ ଗତିରେ ବଦଳୁଥିବା ସୁରକ୍ଷା ପରିସ୍ଥିତି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ କୋଭିଡ-୧୯ ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରୟାସ ସମେତ ପ୍ରସଙ୍ଗରେ ଆଲୋଚନାର ବ୍ୟାପକ ଏଜେଣ୍ଡା ସହିତ ବ୍ଲିଙ୍କେନ୍ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀରେ ପହଞ୍ଚିଥିଲେ। ଆମେରିକାର ବୈଦେଶିକ ସଚିବ ଭାବେ କାର୍ୟ୍ୟଭାର ଗ୍ରହଣ କରିବା ପରେ ଏହା ହେଉଛି ବ୍ଲିଙ୍କେନଙ୍କ ପ୍ରଥମ ଭାରତ ଗସ୍ତ ।