ଆମେରିକାରେ କରୋନା ଭୂତାଣୁର ଟୀକା ନେଇ ପରୀକ୍ଷା ଆରମ୍ଭ । ସିଆଟଲରେ ୧୮ରୁ ୫୫ ବର୍ଷ ବୟସର କିଛି ବ୍ୟକ୍ତିଙ୍କୁ ଦିଆଗଲା ଏମ୍ଆରଏନଏ-୧୨୭୩ ଟୀକା, ପରୀକ୍ଷଣ ସଫଳ ହେଲେ ବର୍ଷେରୁ ଦେଢ଼ବର୍ଷରେ ସାଧାରଣରେ ଉପଲବ୍ଧ ହେବ ଟୀକା ।

2,634

କନକ ବ୍ୟୁରୋ: କରୋନା ମୁକାବିଲା କ୍ଷେତ୍ରରେ ନୂଆ ସମ୍ଭାବନା ଦେଖାଦେଇଛି । ଆମେରିକାରେ କରୋନା ଭୂତାଣୁର ଟୀକା ନେଇ ପରୀକ୍ଷା ଆରମ୍ଭ ହୋଇଛି । ସିଆଟଲରେ ଏହି ଟୀକାର ପରୀକ୍ଷା ଆରମ୍ଭ ହୋଇଛି । ସିଆଟଲରୁ ହିଁ ଆମେରିକାରେ କରୋନା ଭୂତାଣୁ ଦେଖାଦେଇଥିଲା । ଜଣେ ସ୍ୱେଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ ପ୍ରଥମ ଟୀକା ଦିଆଯାଇଛି ।

ସେପଟେ ଏଭଳି ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ୪୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଏହି ପରୀକ୍ଷାମୂଳକ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ୬ ସପ୍ତାହ ମଧ୍ୟରେ ଏହି ଟୀକା ପର୍ଯ୍ୟାୟକ୍ରମେ ଦିଆଯିବ । ୟୁସ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ, ଏନଆଇଏଚ ଏହା କହିଛି । ଏବେ ଟୀକା ଦିଆଯାଇଥିବା ବ୍ୟକ୍ତିଙ୍କୁ ନଜରରେ ରଖାଯିବ । ବିଭିନ୍ନ ଷ୍ଟେଜ ଦେଇ ବ୍ୟକ୍ତି ଜଣଙ୍କୁ ଗତି କରିବାକୁ ପଡ଼ିବ ଓ ଏହି ସମୟରେ କରୋନା ଭୂତାଣୁ ଟୀକା କେମିତି କାମ କରୁଛି, ତା ଉପରେ ନଜର ରହିବ । ଏହି ଟୀକାର ନାମ ରହିଛି ଏମ୍ଆରଏନଏ-୧୨୭୩ ।

କରୋନା ଭୂତାଣୁକୁ ଡବ୍ଲୁଏଚଓ ବିଶ୍ୱ ମହାମାରୀ ଘୋଷଣା କରିବା ପରେ ବୈଜ୍ଞାନିକମାନେ ଏପରି ପରୀକ୍ଷା ପାଇଁ ଅଂଟା ଭିଡ଼ିିଥିଲେ । ବାୟୋଟେକ୍ନୋଲୋଜି କମ୍ପାନୀ ମଡେର୍ଣ୍ଣା ସହ ମିଶି ଏନଆଇଏଚ ଏହି ଟୀକା ପ୍ରସ୍ତୁତ କରିଛି । ଯଦି ଏହି ପରୀକ୍ଷଣ ସଫଳ ହୁଏ, ତାହେଲେ ବର୍ଷେରୁ ଦେଢ଼ବର୍ଷ ମଧ୍ୟରେ ଏହି ଟୀକା ଉପଲବ୍ଧ ହୋଇପାରିବ । କୋଭିଡ ନାଇଂଟିନ୍ ବା କରୋନା ଭୂତାଣୁ ଏପର୍ଯ୍ୟନ୍ତ ବିଶ୍ୱରେ ୬ ହଜାର ୫ଶହରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି । ଏହାସହ ଏକ ଲକ୍ଷ ୬୯ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱର ପ୍ରାୟ ୧୬୨ଟି ଦେଶକୁ କରୋନା ବ୍ୟାପିସାରିଛି । ଭାରତରେ ଏପର୍ଯ୍ୟନ୍ତ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି । ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।