କନକ ବ୍ୟୁରୋ : ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ବା ଆଇଏସରେ ଅନେକ ଆତଙ୍କବାଦୀ ରହିଛନ୍ତି । ଯେଉଁଥିରେ ୬୬ ଜଣ ଭାରତୀୟ ଜନ୍ମିତ ଆତଙ୍କବାଦୀ ରହିଛନ୍ତି । ଆମେରିକା ବୈଦଶିକ ମନ୍ତ୍ରାଳୟ ଆତଙ୍କବାଦ ଉପରେ ଜାରି କରିଥିବା ନୂଆ ରିପୋର୍ଟରେ ଏନେଇ ସୂଚନା ଦେଇଛି । ଏହାଛଡା ଏନଆଇଏ ସମେତ ଅନ୍ୟାନ୍ୟ ଗୁଇନ୍ଦା ସଙ୍ଗଠନ ଅନ୍ତର୍ଜାତୀୟସ୍ତରରେ ଆତଙ୍କବାଦୀଙ୍କୁ ଠାବ କରିବା ଓ ସେମାନଙ୍କୁ ରୋକିବା ଦିଗରେ ଯେଉଁ ପ୍ରୟାସ କରିଛନ୍ତି ସେଥିପାଇଁ ପ୍ରଂଶସା କରିଛି ଆମେରିକାର ବୈଦଶିକ ମନ୍ତ୍ରାଳୟ ।

Advertisment

ଆମେରିକାର ବୈଦଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ଶୁକ୍ରବାର ଆତଙ୍କବାଦ ଓ ଆତଙ୍କବାଦୀଙ୍କ ଉପରେ ଏକ ରିପୋର୍ଟ ଜାରି କରିଛି । ଆଉ ଏହି ରିପୋର୍ଟ ଜାରି କରିବା ସହ ସେ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବ ୟୁଏନଏସସିଆର ୨୩୦୯ ଓ ବିମାନବନ୍ଦରରେ ସାମଗ୍ରୀର ସ୍କ୍ରିନିଂ ଏକ୍ସରେ ମାଧ୍ୟମରେ ଯାଞ୍ଚ କରିବା ଦିଗରେ ଆମେରିକା ସହ ଭାରତ ମିଳିତ ଭାବେ କାର୍ଯ୍ୟ କରିବ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବ ୨୩୦୯, ବିଭିନ୍ନ ସରକାରଙ୍କୁ ବିମାନଯାତ୍ରା ସମୟରେ ନାଗରିକଙ୍କ ସୁରକ୍ଷାକୁ ଦ୍ୱିଗୁଣିତ କରିବା ନେଇ ସୁନିଶ୍ଚିତ କରିବାକୁ ଆହ୍ୱାନ କରୁଛି ।

ଆମେରିକା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ନଭେମ୍ବର ଯାଏଁ ଇସଲାମିକ ଷ୍ଟେଟ ଭଳି ଆତଙ୍କବାଦୀ ସଙ୍ଗଠନ ସହ ୬୬ ଜଣ ଭାରତ ଜନ୍ମିତ ନାଗରିକ ସାମିଲ ହୋଇଥିବା ସୂଚନା ମିଳିଛି । ଏପରିକି ଏମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ୨୦୨୦ ସୁଦ୍ଧା ଭାରତକୁ ଫେରିନାହାନ୍ତି । ଏହାବାଦ୍ ଏନଆଇଏ ଇସଲାମିକ ଷ୍ଟେଟ ସହ ଜଡିତ ୩୪ଟଇ ମାମଲାର ଯାଞ୍ଚ କରିବା ସହ ୧୬୦ ଲୋକଙ୍କୁ ଗିରଫ କରିଛି । ଯେଉଁମାନଙ୍କ ମଧ୍ୟରେ ସେପ୍ଟେମ୍ବର ମାସରେ କେରଳ ଓ ପଶ୍ଚିମବଙ୍ଗରେ ଆଲକଏଦା ସହ ଜଡିତ ଥିବା ୧୦ ଜଣଙ୍କୁ ଗିରଫ କରିଛି ।