କନକ ବ୍ୟୁରୋ: ସାରା ବିଶ୍ୱ ଆଗରେ ୟୁକ୍ରେନର ବନ୍ଧୁ ବୋଲି ଦେଖାଇହେଉଥିବା ଆମେରିକାର କଥା କିନ୍ତୁ ଭିନ୍ନ । ଯାହା କହୁଛି ତାହାର ଠିକ୍ ଓଲଟା କରୁଛି ଆମେରିକା । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାର ପରେ ଆଲୋଚନା ଜୋର ଧରିଛି ।
ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଖୋଦ୍ ଆମେରିକା ପ୍ରଥମେ ଋଷ ଉପରେ ଅନେକ କଟକଣା ଲାଗଇଥିଲା ଏହାସହ ଋଷ ଉପରେ ସବୁ ପ୍ରକାରର କଟକଣା ଲଗାଇବାକୁ ମଧ୍ୟ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକୁ ଚାପ ପକାଇଥିଲା । ଏସବୁ କଟକଣା ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଋଷରୁ ତେଲ କିଣିବା ପ୍ରସଙ୍ଗ । କୌଣସି ରାଷ୍ଟ୍ର ଋଷ ଠାରୁ ଯେପରି ତୈଳ ଆମଦାନୀ ନକରନ୍ତି ସେଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ସବୁ ଦେଶକୁ ଚେତାଇଦେଇଥିଲେ । ଏହାକୁ ଭାରତ ଖାତିର ନକରିବାରୁ ଭାରତ ଉପରେ ଉପରେ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ବାଇଡେନ୍ । ହେଲେ ତାଙ୍କର କଥାରେ କେତେ ସତ ତାହା ଏବେ ପଦାରେ ପଡିଛି ।
ଯୁଦ୍ଧ ବଢିବା ସହ ଆମେରିକାର ଚାଲ ଧରା ପଡୁଛି । ଏବେ ଆମେରିକାକୁ ନେଇ ନୂଆ ଦାବି କରିଛନ୍ତି ଋଷ ଅଧିକାରୀ । ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଋଷଠାରୁ ବିପୁଳ ପରିମାଣର ଅଶୋଧିତ ତୈଳ କିଣୁଛି ଆମେରିକା । ଋଷ ସୁରକ୍ଷା ପରିଷଦର ଉପସଚିବ ମିଶାଇଲ ପାପୋୱ ରବିବାର ଏଭଳି ବୟାନ ଦେଇଛନ୍ତି । ଗୋଟିଏ ପଟେ ଋଷ ଠାରୁ ତେଲ ନକିଣିବାପାଇଁ ଆମେରିକା ଅନ୍ୟ ଦେଶମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଅନ୍ୟପଟେ ଗତ ସପ୍ତାହରେ ଆମେରିକା ନିୟମିତ ବ୍ୟବଧାନ ଠାରୁ ୪୩ ପ୍ରତିଶତ ତୈଳ କିଣିଛି । କେବଳ ଅଶୋଧିତ ତୈଳ ନୁହେଁ ବରଂ ଋଷ ଠାରୁ ଖଣିଜ ସାର କିଣିବା ପାଇଁ ଆମେରିକା କମ୍ପାନୀଗୁଡିକୁ ଅନୁମତି ପ୍ରଦାନ କରୁଥିବା କହିଛନ୍ତି ପୋପୋୱ । ଏସବୁକୁ ଜରୁରୀ ସାମଗ୍ରୀ ଭାବେ ଅନୁମତି ଦିଆଯାଇଛି । ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ପାଇଁ ଋଷ ଉପରେ ନିର୍ଭର କରେ ୟୁରୋପ । ତଥାପି ଆମେରିକା ଓ ତା’ର ୟୁରୋପୀୟ ସହଯୋଗୀ ଋଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କହୁଛି ।