ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର,ଆନୁଷ୍ଠାନିକ ଘୋଷଣା କଲା ଇଲେକ୍ଟୋରାଲ କଲେଜ ।

168

କନକ ବ୍ୟୁରୋ : ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର  । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଥିବା ନେଇ ଆନୁଷ୍ଠାନିକ ଘୋଷଣା କଲା ଇଲେକଟୋରାଲ କଲେଜ  । ଏହାସହ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏକପ୍ରକାର ଅନ୍ତ ଘଟିଛି  ।

ଆମେରିକା ନିର୍ବାଚନ ପରେ ଫଳାଫଳ ଆସିଥିଲା  । ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କ ସପକ୍ଷରେ ଆସିଥିଲା ଜନମତ, ହେଲେ ଏହାକୁ ମାନିବାକୁ ନାରାଜ ଥିଲେ ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  । ଏପରିକି କ୍ଷମତା ହସ୍ତାନ୍ତର ପ୍ରକ୍ରିୟାରେ ମଧ୍ୟ ଅସହଯୋଗ କଲେ ଟ୍ରମ୍ପ ପ୍ରଶାସନ  । ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା  । ଏପରି ବିବାଦକୁ ନେଇ ଅନ୍ତର୍ଜାତୀୟ ସମୁଦାୟରେ ଚର୍ଚ୍ଚା ଜୋର ଧରିଥିଲା  । ଶେଷରେ ବହୁ ବାଦ ବିବାଦ ପରେ ଜୋ ବାଇଡେନଙ୍କୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରାଯାଇଛି  । ନିର୍ବାଚନରେ ବାଇଡେନଙ୍କୁ ବହୁମତ ମିଳିଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ଇଲେକଟୋରାଲ କଲେଜ  । ୫୦ଟି ଯାକ ଷ୍ଟେଟରେ ଇଲେକଟୋରାଲ କଲେଜର ସଦସ୍ୟମାନେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି  ।  ଏହି ଘୋଷଣା ପରେ  ଗଣତନ୍ତ୍ରର ବିଜୟ ହୋଇଥିବା କହିଛନ୍ତି ବାଇଡେନ୍ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନଭେମ୍ବର ୩ରେ ମତଦାନ ହୋଇଥିଲା  । ବହୁମତ ପାଇଁ ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ବାଇଡେନଙ୍କୁ ୩୦୬ଟି ଭୋଟ୍ ମିଳିଥିବା ଇଲେକଟୋରାଲ କଲେଜ କହିଛି  । ସେପଟେ ଟ୍ରମ୍ପଙ୍କୁ ମିଳିଛି ୨୩୨ଟି ଇଲେକଟୋରାଲ ଭୋଟ୍  । କାଲିଫର୍ଣ୍ଣିଆରେ ମିଳିଥିବା ୫୫ଟି ଇଲେକଟୋରାଲ ଭୋଟ ବାଇଡେନଙ୍କ ପାଇଁ ବିଜୟ ରାସ୍ତା ସହଜ କରିଦେଇଥିଲା  । ସାରଦେଶରେ ଟ୍ରମ୍ପଙ୍କ ଠାରୁ ପ୍ରାୟ ୭୦ ଲକ୍ଷ ଅଧିକ ମତଦାତା ବାଇଡେନଙ୍କୁ ପସନ୍ଦ କରିଛନ୍ତି  ।

ଜାନୁଆରୀ ୬ରେ ଆମେରିକା କଂଗ୍ରେସର ଯୁଗ୍ମ ଅଧିବେଶନ ବସିବ  ।  ତେବେ ଇଲେକଟୋରାଲ କଲେଜର ଘୋଷଣାକୁ ଟ୍ରମ୍ପ କେମିତି ଗ୍ରହଣ କରୁଛନ୍ତି, ତାରି ଉପରେ ନଜର ରହିବ  ।