ଅହମ୍ମଦାବାଦରେ ‘କେମ ଛୋ ଟ୍ରମ୍ପ’: ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ; ଚଳିତ ମାସ ୨୪ ଓ ୨୫ ତାରିଖରେ ପତ୍ନୀଙ୍କ ସହ ଗସ୍ତ ନେଇ ହ୍ୱାଇଟ ହାଉସର ସୂଚନା

195

କନକ ବ୍ୟୁରୋ: ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୨୪ ଓ ୨୫ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଟ୍ରମ୍ପ ଆସୁଛନ୍ତି । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ । ଟ୍ରମ୍ପଙ୍କ ଭରତ ଗସ୍ତକୁ ନେଇ ହ୍ୱାଇଟହାଉସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି । ଦୁଇଦେଶ ମଧରେ ଉତମ ସମ୍ପର୍କ ସ୍ଥାପନ ଦିଗରେ ଏହାଏକ ମାଇଲଖୁଣ୍ଟ ସଦୃଶ ହେବ । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନି ତଥା ଆମେରିକାର ପ୍ରଥମ ମହିଳା ମେଲେନିୟା ଟ୍ରମ୍ପ ବି ଭାରତ ଗସ୍ତରେ ଆସିବେ । ନୂଆଦିଲ୍ଲୀ ପରେ ଉଭୟଙ୍କର ଗୁଜୁରାଟ ଯିବାର ବି କାର୍ଯ୍ୟକ୍ରମ ରହିଛି । ତେବେ ଟ୍ରମ୍ପଙ୍କ ଗୁଜୁରାଟ ଗସ୍ତ ଖବର ଚର୍ଚ୍ଚାକୁ ଆସିବା ପରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଅହମ୍ମଦାବାଦ ମୋଟେରା ସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଟ୍ରମ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଷ୍ଟାଡିୟମ ଦୁନିଆର ସବୁଠୁ ବଡ ଷ୍ଟାଡିୟମ । ଗତବର୍ଷ ଆମେରିକା ଟେକ୍ସାସରେ ହାଓଡି ମୋଦି କାର୍ଯ୍ୟକ୍ରମରେ ମୋଦି ଯୋଗଦେଇଥିଲେ । ଏହି କ୍ରମେ ଟ୍ରମ୍ପଙ୍କ ଭାରତ ଗସ୍ତ ଅବସରରେ କେମଚ୍ଛୋଁ ଟ୍ରମ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଆମେରିକାର ପୂର୍ବତନ ରାଷ୍୍ରପତି ବାରାକ ଓବାମା ଦୁଇ ଦୁଇ ଥର ଭାରତ ଗସ୍ତରେ ଆସିଥିଲେ । ଓବାମା ୨୦୧୦ ଓ ୨୦୧୫ରେ ଭାରତ ଗସ୍ତରେ ଆସିଥିଲେ ।

ତେବେ ଆମେରିକା ଓ ଭାରତ ମଧ୍ୟରେ ଉତମ ସମ୍ପର୍କ ସବୁଦିଗରୁ ଭାରତ ପାଇଁ ବେଶ ସହାୟକ ହେବ । ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆମେରିକାର ସହଯୋଗ ମିଳିବ । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଭାରତ ତାର ବାୟୁସେନାର ଶକ୍ତି ବୃଦ୍ଧି କରିବାକୁ ନିଷ୍ପତି ନେଇଛି । ଏଥିପାଇଁ ଆମେରିକାଠୁ ଇଂଟିଗ୍ରେଟେଡ ଏୟାର ଡିଫେନ୍ସ ୱିପନ ସିଷ୍ଟମ କିଣିବ ଭାରତ । ୧.୯ ବିଲିୟନ ଡଲାରର ଏହି ଚୁକ୍ତିକୁ ଆମେରିକା ମଂଜୁରି ଦେଇସାରିଛି । ଏଡି ୱିପନ ସିଷ୍ଟିମ ପାଇଁ ୧.୮୬୭ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ ।