କନକ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ପରମାଣୁ ଆକ୍ରମଣର ବିପଦ ବଢ଼ିବାରେ ଲାଗିଛି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ୧୯୬୨ର ଶୀତଳଯୁଦ୍ଧ ପରେ ପ୍ରଥମଥର ବିଶ୍ୱରେ ପରମାଣୁ ଆକ୍ରମଣର ବିପଦ ଦେଖାଦେଇଛି । ଏବେ ରୁଷ୍ ରାଷ୍ଟ୍ରପତି ପୁଟିନ ଯେଉଁ ପରମାଣୁ ଧମକ ଦେଉଛନ୍ତି, ତାହା ଆଦୌ ପରିହାସ ନୁହେଁ । ବର୍ତମାନର ସ୍ଥିତି ଦେଖି ଲାଗୁଛି ଯେ ଆଗକୁ ବିପଦ ବଢ଼ିପାରେ ବୋଲି ବାଇଡେନ୍ କହିଛନ୍ତି ।

Advertisment

ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ମୁହଁରେ ଏଭଳି ସ୍ୱୀକାରୋକ୍ତି ଅନ୍ୟ ରାଷ୍ଟ୍ର ପାଇଁ ଚିନ୍ତାର କାରଣ ପାଲଟିଛି । ଆମେରିକା ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭରପୂର ମହଜୁଦ ରହିଛି । ଏହା ସତ୍ୱେ ପୁଟିନଙ୍କ ଧମକକୁ ବାଇଡେନ୍ ଗୁରୁତ୍ୱର ସହ ନେବା ଅନ୍ୟ ଦେଶ ପାଇଁ ଚିନ୍ତାଜନକ ।

କ’ଣ କହିଲେ ବାଇଡେନ୍?

- ୧୯୬୨ ପରେ ପ୍ରଥମଥର ପରମାଣୁ ହମଲାର ବିପଦ 

- ପୁଟିନଙ୍କ ପରମାଣୁ ଧମକ ଥଟ୍ଟା ନୁହେଁ

- କେମିକାଲ ଅସ୍ତ୍ରଶସ୍ତ୍ର ପ୍ରୟୋଗ ଆଶଙ୍କା

- ୟୁକ୍ରେନରେ ଯୁଦ୍ଧ ପାଇଁ ରୁଷ୍ ପାଖରେ କମ୍ ବିକଳ୍ପ

- ସେଥିପାଇଁ ପରମାଣୁ ଯୁଦ୍ଧର ଧମକ ଦେଉଛି ରୁଷ୍

ନ୍ୟୁୟର୍କରେ ଡେମୋକ୍ରାଟିକ ପାର୍ଟିର ଫଣ୍ଡରେଜିଂ କାର୍ଯ୍ୟକ୍ରମରେ ଦଳୀୟ ସମର୍ଥକଙ୍କ ସହ କଥାବାର୍ତା ବେଳେ ବାଇଡେନ୍, ପୁଟିନଙ୍କ ପରମାଣୁ ଧମକରୁ ସୃଷ୍ଟି ହେଉଥିବା ବିପଦ ସମ୍ପର୍କରେ କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ ରୁଷ ଓ ୟୁକ୍ରେନ୍ ଯୁଦ୍ଧ କଥା ଦୋହରାଇଥିଲେ । ବାଇଡେନ୍ କହିଛନ୍ତି, କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ପରେ ପ୍ରଥମଥର ଆମର ପରମାଣୁ ଅସ୍ତ୍ର ବ୍ୟବହାର ପ୍ରତି ସିଧାସଳଖ ବିପଦ ଦେଖାଦେଇଛି । ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ରୁଷ୍ ପାଖରେ କମ ବିକଳ୍ପ ରହିଛି । ସେଥିପାଇଁ ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଧମକ ଦେଉଛନ୍ତି । ଅନ୍ୟପକ୍ଷରେ ପରମାଣୁ ଅସ୍ତ୍ରର ଯେକୌଣସି ବ୍ୟବହାର ପରେ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବାଇଡେନ୍ କହିଛନ୍ତି ।

ଯଦି ୟୁକ୍ରେନରେ ଛୋଟଧରଣର ପରମାଣୁ ଆକ୍ରମଣ ହୁଏ, ତେବେ ସେହି ଅଞ୍ଚଳ ଗୁଡ଼ିକରେ ଏହାର ସୁଦୁରପ୍ରସାରୀ ପରିଣାମ ଦେଖିବାକୁ ମିଳିବ । ଯାହା ପରେ ବ୍ୟାପକ ସମସ୍ୟା ସୃଷ୍ଟି ହେବ ବୋଲି ବାଇଡେନ୍ କହିଛନ୍ତି । ପୂର୍ବରୁ ବିଶେଷଜ୍ଞମାନେ ମଧ୍ୟ ୟୁକ୍ରେନ ବିରୋଧରେ ରୁଷ ଛୋଟଧରଣର ଆକ୍ରମଣ କରିପାରେ ବୋଲି କହିଥିଲେ ।

ନିକଟରେ ପୁଟିନ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରି ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷରେ ମିଶାଇଛନ୍ତି । ଲୁହାନସ୍କ, ଡୋନେସ୍କ ଖେରସନ ଏବଂ ଝାପୋରିଜଝିଆ ଏବେ ଋଷରେ ମିଶିବା ପରେ ୮୮ ଲକ୍ଷ ୟୁକ୍ରେନବାସୀ ରୁଷର ନାଗରିକ ପାଲିଟିବେ ବୋଲି ପୁଟିନ କହିଥିଲେ । ଏହି ୪ ଅଞ୍ଚଳ ରୁଷରେ ମିଶିବା ପରେ ଯଦି ପାଶ୍ଚାତ୍ୟ ଦେଶ ଆକ୍ରମଣ କରେ ତାହେଲେ ନିଜ ସୁରକ୍ଷା ପାଇଁ ରୁଷ ସମସ୍ତ ପ୍ରକାର ରଣନୀତି ଆପଣାଇବ ବୋଲି ପୁଟିନ କହିଥିଲେ ।