କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ୍ ଏବେ ଆଇନ ଘେରରେ । ବେଆଇନ୍ ଭାବେ ବନ୍ଧୁକ ରଖିବା ଓ ବନ୍ଧୁକ କିଣିବା ସମୟରେ ଭୁଲ ତଥ୍ୟ ଦେବା , ଏବଂ ଟ୍ୟାକ୍ସ ଫାଙ୍କିବା ଭଳି ଏକାଧିକ ଅଭିଯୋଗରେ ଘେରି ହୋଇଛନ୍ତି ହଣ୍ଟର ବାଇଡେନ୍ ।

Advertisment

ସୂଚନା ମୁତାବକ, ହଣ୍ଟର ହତିଆର କିଣିବା ସମୟରେ ମିଛ କହିଥିଲେ । ୨୦୧୮ରେ ଡେଲାବେୟର କଲ୍ଟ କୋବ୍ରା ସ୍ପେଶାଲ ଷ୍ଟୋରରୁ ବନ୍ଧୁକ କିଣିବା ସମୟରେ ତାଙ୍କୁ ଯେଉଁ ଫର୍ମ ପୂରଣ କରିବାକୁ ଦିଆଯାଇଥିଲା ସେଥିରେ ସେ ଭୁଲ ତଥ୍ୟ ଦେଇଥିଲେ । ସେ ଡ୍ରଗ୍ସ ନେଉନଥିବା ଫର୍ମରେ ଲେଖିଥିବାବେଳେ ସେ ସମୟରେ ସେ ଡ୍ରଗ୍ସ ଅଭ୍ୟାସରେ ଥିବା ଜଣାପଡିଛି ।
ଏହାସହ ନିଜ ବିଜନେସ୍ ଡିଲକୁ ନେଇ ମଧ୍ୟ ହଣ୍ଟର ଆଇନ ଘେରକୁ ଆସିଛନ୍ତି । ସେ ଆବଶ୍ୟକ ଟ୍ୟାକ୍ସ ଭରିନଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ ୱାଶିଂଟନ୍ କିମ୍ବା କାଲିଫର୍ଣ୍ଣିଆରେ ଖୁବଶୀଘ୍ର ମାମଲା ଦାଏର ହୋଇପାରେ ବୋଲି କହିଛନ୍ତି ମାମଲାର ଯାଞ୍ଚ କରୁଥିବା ସ୍ପେଶାଲ କାଉନସିଲ ।

ଏସବୁ ମାମଲାରେ ସଙ୍ଗୀନ ଭାବେ ଫଶିଛନ୍ତି ହଣ୍ଟର ବାଇଡେନ୍ ।ସେ କୌଣସି ସମୟରେ ଜେଲ ଯାଇପାରନ୍ତି । ଟ୍ୟାକ୍ସ ଫାଙ୍କିବା ଅପରାଧରେ ତାଙ୍କୁୁ ୧୨ରୁ ୧୮ ମାସ ଜେଲ ଦଣ୍ଡ ମିଳିପାରେ । ଅବଶ୍ୟ ସେ କେବେ ସୁଦ୍ଧା କୋର୍ଟରେ ହାଜର ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।