ବାଇଡେନ୍ ନେଲେ ବୁଷ୍ଟର ଡୋଜ୍ : ଆମେରିକା ରାଷ୍ଟ୍ରପତିଙ୍କୁ ଦିଆଗଲା ଫାଇଜର ଟିକାର ତୃତୀୟ ଡୋଜ୍

ଆମେରିକାରେ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ପାଇଁ ରହିଛି ଅନୁମତି

122

କନକ ବ୍ୟୁରୋ : ବାଇଡେନ୍ ନେଲେ ବୁଷ୍ଟର ଡୋଜ୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କରୋନାର ବୁଷ୍ଟର ଡୋଜ୍ ନେଇଛନ୍ତି । ହ୍ୱାଇଟ୍ ହାଉସରେ ଫାଇଜର ଟିକାର ତୃତୀୟ ଡୋଜ୍ ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକାବାସୀଙ୍କୁ ସେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି । ଆମେରିକାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ଓ ଏକାଧିକ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ କରୋନାର ବୁଷ୍ଟର ଡୋଜ୍ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ବୁଷ୍ଟର ଡୋଜ୍ ନେବା ପରେ ବାଇଡେନ୍ କହିଛନ୍ତି, ଆମେରିକାର ଗୋଟିଏ ଅଂଶର ଲୋକେ ଟିକା ନେବାରେ ବାଧା ସୃଷ୍ଟି କରୁଛନ୍ତି । କରୋନାର ଗୋଟିଏ ଡୋଜ୍ ନେବା ପାଇଁ ବି ମନା କରୁଛନ୍ତି । ଯାହା ଫଳରେ ଦେଶରେ ଘାତକ ଡେଲଟା ଭାଇରସ ବ୍ୟାପିପାରେ । ବର୍ତ୍ତମାନ ସୁଦ୍ଧା ୭୭ ପ୍ରତିଶତ ଆମେରିକୀୟ ଟିକା ନେଇ ସାରିଲେଣି, ଯାହାକି ପର୍ଯ୍ୟାପ୍ତ ନୁହଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏବେ ବି ଏକ ଚତୁର୍ଥାଂଶ ଟିକା ନେବାକୁ ମନା କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ପ୍ରଥମ ଡୋଜ୍ ଗତବର୍ଷ ଡିସେମ୍ବର ୨୧ ତାରିଖରେ ନେଇଥିଲେ । ତୃତୀୟ ସପ୍ତାହ ପରେ ଜାନୁଆରୀ ୧୧ରେ ସେ ଦ୍ୱିତୀୟ ଡୋଜ୍ ନେଇଥିଲେ ।