ପ୍ରେମର ପ୍ରତୀକ ବୁଲିଲେ ଟ୍ରମ୍ପ ଦମ୍ପତି: ସାହାଜାନ-ମମତାଜଙ୍କ ପ୍ରେମ ସ୍ମୃତିସ୍ଥଳରେ ମେଲାନିଆଙ୍କ ହାତ ଧରି ବୁଲାଇଲେ ଡୋନାଲ୍ଡ ଟ୍ରମ୍ପ

353

କନକ ବ୍ୟୁରୋ: ତାଜମହଲ ବୁଲିଲେ ଟ୍ରମ୍ପ ଦମ୍ପତି । ପ୍ରେମର ପ୍ରତୀକକୁ ପାଖରୁ ଦେଖିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ । ପ୍ରେମକୁ ନେଇ ମମତାଜ, ସାହାଜାନଙ୍କ ଯେଉଁ ସ୍ମୃତି ରହିଛି ଆଜି ତାକୁ ନିକଟରୁ ଦେଖି ଖୁସି ହୋଇଛନ୍ତି ଦୁଇ ପ୍ରେମୀ ଯୁଗଳ ଟ୍ରମ୍ପ ଆଉ ମେଲାନିଆ ।

ତେବେ ଆଗ୍ରା ବିମାନବନ୍ଦରରେ ପହଞ୍ଚିବା ପରେ ତାଜମହଲ ଅଭିମୁଖେ ବାହାରିଥିଲେ ଟ୍ରମ୍ପ । ଅହମଦାବାଦରୁ ଆସି ଆଗ୍ରାରେ ଓହ୍ଲାଇବା ପରେ ସିଧା ତାଜମହଲ ଅଭିମୁଖେ ବାହାରିଥିଲେ । ତେବେ ବିମାନରୁ ଓହ୍ଲାଇବା ପରେ ଟ୍ରମ୍ପ ଦମ୍ପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଭାରତୀୟ ଲୋକକଳା ଓ ସଂସ୍କୃତିର ତାଳେ ତାଳେ ସେମାନଙ୍କୁ ପାଛୋଟି ନିଆଯାଇଥିଲା । ତେବେ ଭାରତର ଏଭଳି କଳାକୁ ଦେଖି ଦୁହେଁ ତାଳି ମାରି ନିଜର ଖୁସି ଜଣାଇଥିଲେ ।

ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଅହମଦାବାଦରେ ପ୍ରଥମେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନମସ୍ତେ କହି ନିଜର ଅଭିଭାଷଣ କରିବା ସହ ସଭା ଆରମ୍ଭରୁ ସଭା ଶେଷ ହେବା ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୁରି ଭୁରି ପ୍ରଶଂସା କରିଚାଲିଥିଲେ । ମୋଦିଙ୍କୁ ତାଙ୍କର ଜଣେ ଭଲ ବନ୍ଧୁ କହିବା ସହ ଭାରତ ଆସିବା ତାଙ୍କ ପାଇଁ ଏକ ଗର୍ବର କଥା ବୋଲି କହିଛନ୍ତି ଟ୍ରମ୍ପ । ଖାଲି ଏତିକି ନୁହେଁ ଟ୍ରମ୍ପ କହିଛନ୍ତି ଯେ, ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ଚାମ୍ପିୟନ, ଯିଏକି ଭାରତକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି । ମୋଦି ହେଉଛନ୍ତି ମହାନ, ତାଙ୍କର ନୀତି ଆଦର୍ଶ ବି ମହାନ । ସେଥିପାଇଁ ତାଙ୍କୁ ଲୋକେ ଭଲ ପାଉଛନ୍ତି ଆଉ ଶାସନ ଗାଦିରେ ବସାଇଛନ୍ତି ।

ଆମେରିକା ହେଉଛି ହିନ୍ଦୁସ୍ତାନର ବନ୍ଧୁ । ଆମେରିକା ହିନ୍ଦୁସ୍ତାନର ସମ୍ମାନ କରେ । ଟ୍ରମ୍ପ ନିଜ ଅଭିଭାଷଣରେ କହିଛନ୍ତି ଯେ, ୫ ମାସ ତଳେ ଆମେରିକା ପ୍ରଧାନମନ୍ତ୍ରୀ ମୋଦିଙ୍କର ସ୍ୱାଗତ କରିଥିଲେ ଆଉ ଆଜି ହିନ୍ଦୁସ୍ତାନ ଆମର ସ୍ୱାଗତ କରୁଛି । ଯାହା ଆମ ପାଇଁ ବଡ ଖୁସିର କଥା । ଆଜି ଆମେ ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମରେ ଅଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର ଭବ୍ୟ ସ୍ୱାଗତ କରିଛନ୍ତି । ଆଜିଠୁ ଭାରତ ଆମ ପାଇଁ ସବୁଠାରୁ ଖାସ୍ ବନ୍ଧୁ ହେବ ।

ଡୋନାଲ୍ଡ ଟ୍ରମ୍ପ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜ ଜୀବନରେ ବହୁତ ପରିଶ୍ରମ କରିଛନ୍ତି । ବହୁତ କଷ୍ଟ ସହିଛନ୍ତି । ଆଉ ଜୀବନର ଆରମ୍ଭ ଜଣେ ଚା’ବାଲାରୁ ଆରମ୍ଭ କରିଛନ୍ତି । ସେ ନିଜ ବାପାଙ୍କ ଚା ଦୋକାନରେ କାମ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ପ୍ରତିଟି ବ୍ୟକ୍ତି ଭଲ ପାଉଛନ୍ତି । ହେଲେ ସେ ବହୁତ ମହାନ । ଆଉ ତାଙ୍କର ଏହି ମହାନତା ପାଇଁ ଆଜି ସେ ହିନ୍ଦୁସ୍ତାନର ସବୁଠୁ ପ୍ରମୁଖ ନେତା ଭାବେ ପରିଗଣିତ ହୋଇଛନ୍ତି ବୋଲି ନିଜ ଅଭିଭାଷଣରେ କହିଛନ୍ତି ଟ୍ରମ୍ପ ।