କନକ ବ୍ୟୁରୋ: ୟୁକ୍ରେନ ରାଜଧାନୀ କିଭରେ ପହଁଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୋମବାର ହଠାତ କିଭରେ ପହଁଚିଛନ୍ତି ବାଇଡେନ୍ । ଯେଉଁ ସମୟରେ ୟୁକ୍ରେନ ରାଜଧାନୀ କିଭରେ ପାଦ ଦେଲେ ବାଇଡେନ ସେତେବେଳେ ଆକ୍ରମଣର ସର୍ତକ ଘଂଟି ବା ସାଇରନ ଜୋରଦାର ବାଜିବାକୁ ଲାଗିଥିଲା । କିନ୍ତୁ କଡ଼ା ସୁରକ୍ଷା ବଳୟ ଭିତରେ ଏଠାରେ ପହଁଚିଥିଲେ ଜୋ ବାଇଡେନ । ସେଠାରୁ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲେନସ୍କି । ଭେଟଘାଟ ପରେ ଉଭୟ ୟୁକ୍ରେନ ଓ ଆମେରିକା ରାଷ୍ଟ୍ରମୁଖ୍ୟ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆମେରିକା ରାଷ୍ଟ୍ରପତି କହିଛନ୍ତି ସବୁ ପ୍ରକାର ସ୍ଥିତିରେ ୟୁକ୍ରେନ ସହ ରହିବ ଆମେରିକା । ଆବଶ୍ୟକ ଓ ସକ୍ଷମ ଅନୁସାରେ ସବୁ ପ୍ରକାର ସହାୟତ ଦେବ । ୟୁକ୍ରେନବାସୀଙ୍କୁ ନିଜର ସୁରକ୍ଷା ପାଇଁ ପ୍ରତିରକ୍ଷା ଉପକରଣ ଯୋଗାଇବ । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ୟୁକ୍ରେନଗସ୍ତ ଏକ ଶୁଭ ସଂକେତ । ୟୁକ୍ରେନ ସହ ଆମେରିକା ସର୍ବଦା ରହିଥିବାର ଏହା ଏକ ବଡ ପ୍ରମାଣ ।

ଆମେରିକା ରାଷ୍ଟ୍ରପତି ହଠାତ ୟୁକ୍ରେନରେ ପହଁଚିବା ଘଟଣାକୁ ସହଜରେ ଗ୍ରହଣ କରିପାରିନି ରୁଷ । ସୂଚନା ଅନୁସାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ବାଇଡେନଙ୍କ ଗସ୍ତ ଉପରେ ଅସନ୍ତୋଷ ଜାହିର କରିଛି । ତେଣୁ ଆଗାମୀ ଦିନରେ ରୁଷ ଏହାକୁ ବିରୋଧ କରି କୌଣସି ବଡ ଘୋଷଣା ବା ପଦକ୍ଷେପ ଗ୍ରହଣ କରିବା ସମ୍ଭାବନା ରହିଛି ।

ସୂଚନା ଅନୁସାରେ ବାଇଡେନଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଯୁଦ୍ଧ ସ୍ଥିତିର ସୂଚନା ଦେବା ସହ ଅଧିକ ସାମରିକ ସହାୟତା ମାଗିଛନ୍ତି । ୟୁକ୍ରେନକୁ ଏୟାର ସର୍ଭିଲାନ୍ସ ରାଡାର ଦେବାକୁ ଘୋଷଣା କରିଛନ୍ତି ବାଇଡେନ୍ । ଏଥିସହ ୫ଶ ମିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିଛି ଆମେରିକା । ସେପଟେ ଆମେରିକା ରାଷ୍ଟ୍ରପତି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ପାଇଁ ଭତ୍ସନା କରିଛନ୍ତି । ବାଇଡେନ କହିଛନ୍ତି ରୁଷର ଶକ୍ତି ଆଗରେ ୟୁକ୍ରେନ ଭାଙ୍ଗିପଡିନି ବଂର ମଜବୁତର ସହ ମୁକାବିଲା କରୁଛି । ଆମେରିକା ଓ ପଶ୍ଚିମ ଦେଶ ୟୁକ୍ରେନ ସହ ରହିଛନ୍ତି । ଯୁଦ୍ଧ କରି ରୁଷ ନିଜ ପାଇଁ ବଡ କ୍ଷତି କରିଛି । କାରଣ ବିଭିନ୍ନ ଦେଶର ପ୍ରତିବନ୍ଧକ ରୁଷର ଆର୍ଥିକ ସ୍ଥିତି ଉପରେ ବଡ ପ୍ରଭାବ ପକାଇଛି ।

ବାଇଡେନଙ୍କ ଗସ୍ତ ଏକଥା ସାବ୍ୟସ୍ତ କରୁଛି ଯେ ୟୁକ୍ରେନ ସହ ସବୁ ପରିସ୍ଥିତିରେ ରହିଛି ଆମେରିକା । ଯୁଦ୍ଧକୁ ନେଇ ଆମେରିକା ଓ ରୁଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । ଦୁଇ ଦେଶ ପରସ୍ପର ପ୍ରତି ଅନେକ କଟକଣା ଲଗାଇବା ସହ ବୟାନବାଜୀ ଓ ଧମକ ମଧ୍ୟ ଦେଉଛନ୍ତି । ଦେଖିବାକୁ ବାକି ରହିଲା ଆଗକୁ ରୁଷ ଆଭିମୁଖ୍ୟ କଣ ରହିବ ।

ଫେବ୍ରୁଆରୀ ୨୪ରେ ରୁଷ-ୟୁକ୍ରେନ ଯୁଦ୍ଧକୁ ପୁରୁଛି ୧ବର୍ଷ । ଏହା ପୂର୍ବରୁ ୟୁକ୍ରେନକୁ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ବିଭିନ୍ନ ଦିଗରୁ ଭିନ୍ନ ଭିନ୍ନ ଗୁରୁତ୍ୱବହନ କରୁଛି । ଯେବେଠୁ ଯୁଦ୍ଧ ଆରମ୍ଭ ହୋଇଛି ସେବେଠୁ ୟୁକ୍ରେନକୁ ସାମରିକ ସହାୟତା ଦେବା ସହ ସମର୍ଥନ ଜଣାଇ ଆସିଛି ଆମେରିକା