ବଢିଲା ଭାରତୀୟ ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଆମେରିକା ନିର୍ମିତ ଏମଏଚ୍-୬୦- ଆର ରୋମିଓ ଲଢୁଆ ହେଲିକପ୍ଟର

174

କନକ ବ୍ୟୁରୋ : ଦେଶର ସୀମା ସୁରକ୍ଷାକୁ ମଜଭୁତ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ଆମେରିକା ନିର୍ମିତ ଏମଏଚ୍-୬୦ ଆରର ୨ ଟି ରୋମିଓ ମଲଟିରୋଲ ହେଲିକପ୍ଟର । ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ ସମାରୋହରେ ଏହି ଦୁଇଟି ହେଲିକପ୍ଟରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂ ଓ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ରବନିତ୍ ସିଂ ଉପସ୍ଥିତ ଥିଲେ ।

୨୦୧୯ ଫେବୃଆରୀ ମାସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଭାରତ ଯାତ୍ରାରେ ଆସିଥିବା ବେଳେ ଦୁଇ ଦେଶର ଫରେନ ମିଲଟାରୀ ସେଲସ୍ (ଏଫଏମଏସ୍) ମାଧ୍ୟମରେ ଭାରତୀୟ ନୌସେନା ପାଇଁ ୨୪ ଟି ମଲ୍ଟି ମିଶନ ଏମଏଚ୍-୬୦ ଆର ହେଲିକପ୍ଟର ନେଇ ଚୁକ୍ତି ହୋଇଥିଲା । ଆମେରିକା ସହିତ ଏହି ଚୁକ୍ତି ୨୪ ବିଲିୟନ ଡଲାର ବା ୨୧ ହଜାର କୋଟି ଟଙ୍କାର ହୋଇଥିଲା । ଆମେରିକା ନୌସେନା ଏବେ ୨ ଟି ହେଲିକପ୍ଟର ଭାରତକୁ ଦେଇଛି । ଏହାସହ କହିଛି କି ଏହାକୁ ଶୀଘ୍ର ଦେବାର କାରଣ ଅନ୍ୟ ହେଲିକପ୍ଟର ଆସିବା ପୂର୍ବରୁ ଭାରତୀୟ ନୌସେନା ନିଜର ପ୍ରଶିକ୍ଷଣ ଆରମ୍ଭ କରିପାରିବ ।

ଏହି ହେଲିକପ୍ଟର ଗୁଡ଼ିକରେ ଏଜିଏମ-୧୧୪ ହେଲଫାୟାର କ୍ଷେପଣାସ୍ତ୍ର, ଏମକେ୫୪ ଟର୍ପେଡୋ ଆଦି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇପାରିବ । ଏଗୁଡ଼ିକ ଆସିବା ପରେ ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ । ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ନୌସେନାର ଶକ୍ତି ବୃଦ୍ଧି ପାଇବ ।