ଟ୍ରମ୍ପଙ୍କୁ ବଡ଼ ଝଟକା । ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ବୁଧବାର ସଂସଦରେ ହେବ ଭୋଟ୍ ଗ୍ରହଣ ।

111

କନକ ବ୍ୟୁରୋ : ଆମେରିକାର ସଂସଦ ଭବନ, କ୍ୟାପିଟଲ ବିଲଡିଂରେ ହିଂସାକାଣ୍ଡ ଭିଆଇବାକୁ ନିଜ ସମର୍ଥକମାନଙ୍କୁ ଉସୁକାଇ ଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକାର ସଂସଦରେ ମହାଅଭିଯୋଗ ଆଗତ ହୋଇଛି । ରାଷ୍ଟ୍ରପତି ପଦରୁ ତୁରନ୍ତ ଡୋନାଲ୍ଡ ଟ୍ରମ୍ପଙ୍କୁ ହଟାଇବା ପାଇଁ ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ଏହି ମହାଅଭିଯୋଗ ପ୍ରସ୍ତାବକୁ ଆଗତ କରାଯାଇଛି । ଡେମୋକ୍ରାଟିକ୍‌ ଦଳ ନିୟନ୍ତ୍ରଣରେ ଥିବା ପ୍ରତିନିଧି ସଭାରେ ଆଗତ ମହାଅଭିଯୋଗ ଉପରେ ଆସନ୍ତା ବୁଧବାର ଦିନ ଭୋଟ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜାଣିବାକୁ ମିଳିଛି ।

ଏହା ପୂର୍ବରୁ ସମ୍ବିଧାନର ୨୫ତମ ସଂଶୋଧନ ବଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବା ନିମନ୍ତେ ସଂସଦରେ ଏକ ପ୍ରସ୍ତାବ ଆଗତ ହୋଇଥିଲା । ଏହା ଉପରେ ତୁରନ୍ତ ଭୋଟ ଗ୍ରହଣ ପାଇଁ ମଧ୍ୟ ବାବି କରାଯାଇଥିଲା । ହେଲେ, ରିପବ୍ଲିକାନ୍‌ ଦଳ ପକ୍ଷରୁ ଏହାକୁ ଅଟକାଇ ଦିଆ ଯାଇଥିଲା । ଏହି ଘଟଣା ପରେ ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ବିଲଡିଂ ହିଂସା ପରେ ଆମେରିକାରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ଲାଗି ସ୍ୱର ଶାଣିତ ହେବାରେ ଲାଗିଛି । ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି, ଉପରାଷ୍ଟ୍ରପତି ମାଇକ ପେନ୍ସ ଟ୍ରମ୍ପଙ୍କ ବିରୋଧରେ ଆମେରିକୀୟ ସମ୍ବିଧାନର ୨୫ତମ ସଂଶୋଧନକୁ ଉପଯୋଗ କରି ତୁରନ୍ତ ତାଙ୍କୁ କ୍ଷମତାରୁ ହଟାନ୍ତୁ ବୋଲି ଦାବି କରି ଆସୁଛନ୍ତି । ପେନ୍ସଙ୍କ ଏହି ପଦକ୍ଷେପ ଫଳରେ ଟ୍ରମ୍ପ ରାଷ୍ଟ୍ରପତି ପରିବର୍ତ୍ତେ କାମଚଳା ରାଷ୍ଟ୍ରପତି ହେବେ ।