ଟ୍ରମ୍ପଙ୍କ ପାଇଁ ବଢିବ ଅଡ଼ୁଆ ! କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ।

158

କନକ ବ୍ୟୁରୋ : କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ । କ୍ୟାପିଟଲ ହିଲରେ ଯାହା ଘଟିଲା ତାକୁ ନେଇ ମହାଭିଯୋଗ ପ୍ରସ୍ତାବ ଜରିଆରେ ବହିଷ୍କାର କରିବାକୁ ବିରୋଧୀ ଦଳ ଡେମୋକ୍ରାଟିକ ଦାବି କରିଛି । ରିପବ୍ଲିକାନ ପାର୍ଟିର କିଛି ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଯଦି ଉପରାଷ୍ଟ୍ରପତି ମାଇକ ପେନ୍ସ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସମ୍ବିଧାନରେ ୨୫ ତମ ସଂଶୋଧନ ପ୍ରୟୋଗ କରି ପଦକ୍ଷେପ ନନିଅନ୍ତି ତେବେ ମହାଭିଯୋଗ ଆଣିବେ ଡେମୋକ୍ରାଟ ।

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ କରି ଗଲା ବେଳକୁ, ଆମେରିକାକୁ ଏମିତି ଜଖମ ଦେଇଛନ୍ତି ଯାହାର ଦାଗ ନା କେବେ ଯିବ ନା ଫିକା ପଡିବ । କିନ୍ତୁ ପ୍ରଶ୍ନ ଉଠୁଛି, କଣ ଆମେରିକା ଟ୍ରମ୍ପଙ୍କୁ ଏମିତି ଯିବାକୁ ଦେବ? କାରଣ କ୍ୟାପିଟଲ ହିଲରେ ଟ୍ରମ୍ପ ସମର୍ଥକ ଯେଉଁ ହିଂସାକାଣ୍ଡ କଲେ ସେଥିପାଇଁ ଟ୍ରମ୍ପ ହିଁ ତାଙ୍କୁ ଉସୁକାଇଥିଲେ । ଆଉ ଏବେ ଟ୍ରମ୍ପଙ୍କ ପାର୍ଟିରୁ ହିଁ ଟ୍ରମ୍ପଙ୍କୁ ସଜା ଦେବା ପାଇଁ ଦାବି ଜୋରଦାର ହେଉଛି । ସଜା ହେଉଛି ୨୦ ଜାନୁଆରୀ ଅର୍ଥାତ ରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ଆଗରୁ ତାଙ୍କୁ ପଦରୁ ହଟାଇଦେବା ।

ଟ୍ରମ୍ପଙ୍କ କାର୍ଯ୍ୟକାଳ ଯଦିଓ କମ ସମୟ ରହିଛି ହେଲେ ଏହା ପୂର୍ବରୁ ତାଙ୍କୁ ମହାଭିଯୋଗ ପ୍ରସ୍ତାବ ଜରିଆରେ ବହିଷ୍କାର କରିବାକୁ ବିରୋଧୀ ଦଳ ଡେମୋକ୍ରାଟିକ ଦାବି କରିଛି । ରିପବ୍ଲିକାନ ପାର୍ଟିର କିଛି ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ଯଦି ଉପରାଷ୍ଟ୍ରପତି ମାଇକ ପେନ୍ସ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସମ୍ବିଧାନରେ ୨୫ ତମ ସଂଶୋଧନ ପ୍ରୟୋଗ କରି ପଦକ୍ଷେପ ନନିଅନ୍ତି ତେବେ ମହାଭିଯୋଗ ଆଣିବେ ଡେମୋକ୍ରାଟ । ହାଉସ ଅଫ ରିପ୍ରେଜେଂଟେଟିଭର ବାଚସ୍ପତି ତଥା ଡେମୋକ୍ରାଟ ଦଳର ନେତା ନାନ୍ସି ପେଲୋସି ତାଙ୍କ ଦଳର ସାଂସଦ ମାନଙ୍କୁ ଚିଠି ଲେଖି ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନିବେଦନ କରିଛନ୍ତି । ଟ୍ରମ୍ପଙ୍କ ବିରୋଧରେ କମ୍ ଭୋଟ ପଡିବାର ଆଶଙ୍କା ରହିଛି, ତେଣୁ ସମସ୍ତ ଦଳୀୟ ସାଂସଦଙ୍କୁ ୱାସିଂଟନ ଆସିବାକୁ ସେ ଅନୁରୋଧ କରିଛନ୍ତି । ଆମେରିକା ରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ଆଗରୁ ତାଙ୍କୁ ପଦରୁ ହଟାଇ ଦିଆଯାଇପାରିବ ।

ଆମେରିକା ସମ୍ବିଧାନରେ ୨୫ ତମ ସଂଶୋଧନ ଏଥିପାଇଁ ଅନୁମତି ପ୍ରଦାନ କରିଛି । ଏବେ ନଜର ପକାନ୍ତୁ ଏଥିରେ କଣ ରହିଛି ବ୍ୟବସ୍ଥା ।
୧. ଯଦି ଜଣେ ରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ହଟାଇବାକୁ ପଡିବ କିମ୍ବା ତାଙ୍କର ମୃତ୍ୟୁ ହୁଏ ତେବେ ଏହି ପରିସ୍ଥିତିରେ କେବଳ ଉପରାଷ୍ଟ୍ରପତି, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିପାରିବେ
୨. ଯଦି ଉପରାଷ୍ଟ୍ରପତି ପଦ ଖାଲିଥିବ, ତେବେ ସେ କ୍ଷେତ୍ରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ମନୋନିତ କରିବେ । ଏହି ପ୍ରକ୍ରିୟାରେ ସେ କଂଗ୍ରେସର ଉଭୟ ଗୃହରେ ସଂଖ୍ୟା ଗରିଷ୍ଠତା ଆଧାରରେ କାର୍ଯ୍ୟ କରିବେ
୩. ସେହିପରି ଯଦି ରାଷ୍ଟ୍ରପତି ତାଙ୍କର ଅକ୍ଷମତା କିମ୍ବା ଅଯୋଗ୍ୟତା ଘୋଷଣା କରିବାକୁ ସକ୍ଷମ ବା ରାଜି ନହୁଅନ୍ତି ତେବେ ଉପରାଷ୍ଟ୍ରପତି କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ
୪. ଯଦି ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିବାକୁ କିମ୍ପା ତାଙ୍କ ଦାୟିତ୍ୱ ତୁଲାଇବାକୁ ସକ୍ଷମ ନଅୁହନ୍ତି ତେବେ ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ । ଏଥିପାଇଁ ଉପରାଷ୍ଟ୍ରପତି ଏବଂ ଆମେରିକାର କ୍ୟାବିନେଟରେ ମହାଭିଯୋଗ ପ୍ରସ୍ତାବ ଆସିବ । ଯଦି କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଅଧିକ ସଂଖ୍ୟାରେ ସାଂସଦ ରହିବେ ତାହେଲେ ସେ ବହିଷ୍କୃତ ହୋଇପାରିବେ । ସଂସଦର ଉଭୟ ଗୃହରେ ଏଥିପାଇଁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକତା ରହିଛି ।

ଜାନୁୟାରୀ ୨୦ରେ ଶେଷ ହେବ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ । ଏହି ଦିନ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ସମ୍ଭାଳିବେ । ଏହା ପୂର୍ବରୁ କ୍ୟାପିଟଲ ହିଲ୍ସରେ ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚାଲିଛି ପ୍ରସ୍ତୁତି ।