କରୋନାକୁ ପୁରିବାକୁ ଯାଉଛି ଦୁଇ ବର୍ଷ : ବିଶ୍ୱରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା

ଦେଶରେ ୭ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା; ଶେଷ ୩ମାସରେ ଲକ୍ଷେ ଲୋକଙ୍କୁ ହରାଇଛି ଏହି ବିକଶିତ ରାଷ୍ଟ୍ର

144

କନକ ବ୍ୟୁରୋ : କରୋନା ମହାମାରୀକୁ ପୁରିବାକୁ ଯାଉଛି ଦୁଇ ବର୍ଷ । ଏହି ମହାମାରୀରେ ବିଶ୍ୱରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଆମେରିକାରେ ୭ଲକ୍ଷ ଟପିଛି ମୃତ୍ୟୁ ସଂଖ୍ୟା । ତେବେ ଶେଷ ୩ମାସରେ ଲକ୍ଷେ ଲୋକଙ୍କୁ ହରାଇଛି ଏହି ବିକଶିତ ରାଷ୍ଟ୍ର । ଗତ ଅଗଷ୍ଟ ମାସରେ ୫୫ ବର୍ଷରୁ କମ ବୟସର ସବୁଠୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କୋଭିଡ ସଂକ୍ରମଣରେ ଆମେରିକାରେ ମୋଟ ୭ ଲକ୍ଷ ୧୮ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକ ଟିକା ନେଇ ନ ଥିବା ଆମେରିକା ପକ୍ଷରୁ କୁହାଯାଇଛି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସବୁଠୁ ଅଧିକ ଟିକାକରଣ ସତ୍ୱେ ବି କୋଭିଡ ମୃତ୍ୟୁ ସଂଖ୍ୟାରେ ଆମେରିକାରେ ବିଶ୍ୱରେ ୧ ନମ୍ବରରେ ରହିଛି । ଦ୍ୱିତୀୟରେ ବ୍ରାଜିଲ ରହିଥିବା ବେଳେ ତୃତୀୟରେ ରହିଛି ଭାରତ । ବ୍ରାଜିଲରେ ମୋଟ ୫ ଲକ୍ଷ ୫୭ ହଜାର ୨୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ ୪ ଲକ୍ଷ ୪୮ ହଜାର ୬୦୫ ଲୋକଙ୍କ ଜୀବନ ନେଇଛି କରୋନା । ତେବେ କରୋନା ମହାମାରୀ ଆମେରିକା ପାଇଁ ସବୁଠୁ ଘାତକ ସାଜିଛି ।

୧୯୧୮ ଏବଂ ୧୯୧୯ରେ ହୋଇଥିବା ଇନଫ୍ଲ୍ୟୁଞ୍ଜା ମହାମାରୀରେ ମଧ୍ୟ ଆମେରିକାରେ ଏତେ ଲୋକଙ୍କର ମୃତ୍ୟୁ ହୋଇ ନ ଥିଲା । ବିଶ୍ୱରେ କରୋନା ସଂକ୍ରମଣରେ ମୋଟ ୪୮ ଲକ୍ଷ ୫ ହଜାର ୮୯୦ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ମୋଟ ୪ କୋଟି ୪୪ ଲକ୍ଷ ୪୩ ହଜାର ୪୦୫ ଜଣ କରୋନାରେ ସଂକ୍ରମଣ ହୋଇଥିବା ସେମାନଙ୍କ ମଧ୍ୟରୁ ୩ କୋଟି ୩୮ ଲକ୍ଷ ୧୬ ହଜାର ୪୯୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୯୯ ଲକ୍ଷ ୭ ହଜାର ୯୨୭ ଜଣ ସଂକ୍ରିୟ ଆକ୍ରାନ୍ତ ଅଛନ୍ତି ।