ଜଳବାୟୁ ପରିବର୍ତ୍ତନର କରାଳ ରୂପ : ମରୁଡି କାୟାରେ ଅଧା ବିଶ୍ୱ; ଶୁଖିଲା ପାଗ ଯୋଗୁଁ କଲବଲ ହେଉଛନ୍ତି କୋଟି କୋଟି ଲୋକ

70

କନକ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନର କରାଳ ରୂପ । ମରୁଡ଼ି କାୟାରେ ଅଧା ବିଶ୍ୱ । ଆମେରିକା, ୟୁରୋପ, ଚୀନ ପ୍ରାୟ ସବୁ ବଡ ବଡ ଦେଶ ଏବେ ଭୟଙ୍କର ଦୁର୍ଭିକ୍ଷ ସ୍ଥିତିକୁ ସାମ୍ନା କରୁଛି । ୟୁରୋପୀୟ ସଂଘର କୋପରନିକସ୍ ରିପୋର୍ଟ ଅନୁଯାୟୀ ୟୁରୋପ ବିଗତ ୫୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ମରୁଡ଼ି ଦେଖାଦେଇଛି । ଚଳିତ ବର୍ଷ ଅଗଷ୍ଟ ପରଠାରୁ ଅଧା ୟୁରୋପରେ ମୃତିକା ଆର୍ଦ୍ରତା ଅଭାବ ପରିଲକ୍ଷିତ ହୋଇଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ୟୁରୋପ ଏଭଳି ସ୍ଥିତିକୁ ସାମ୍ନା କରିଛି ।

ଆଫ୍ରିକାରେ ବି ମରୁଡିର ଉତ୍କଟ ଚିତ୍ର ସାମ୍ନାକୁ ଆସୁଛି । ଅସ୍ୱାଭାବିକ ଶୁଖିଲା ପାଗ ଯୋଗୁଁ କୋଟି କୋଟି ଲୋକ ଦୁର୍ଭିକ୍ଷ ଜ୍ୱାଳାରେ ହେଉଛନ୍ତି କଲବଲ । କମ୍ ପରିମାଣର ବର୍ଷା ଯୋଗୁଁ ଏବେ ସେଠାକାର ସ୍ଥିତି ସାଂଘାତିକ୍ । ପୂର୍ବ ଇଥିଓପିଆ, ଉତର କେନିୟା ଏବଂ ସୋମାଲିଆରେ ମରୁଡ଼ି ସ୍ଥିତି ପାଇଁ ପାଖାପାଖି ୨ କୋଟି ୨୦ ଲକ୍ଷ ଲୋକେ ଦୁର୍ଭିକ୍ଷର ଶିକାର ହୋଇଛନ୍ତି । ଆଫ୍ରିକାରେ ଲଗାତାର ତୃତୀୟ ବର୍ଷ ସବୁଠୁ କମ୍ ବର୍ଷା ହେବା ସହ ଅତ୍ୟଧିକ ତାପମାତ୍ରା ଅନୁଭୂତ ହୋଇଛି । ସୋମାଲିଆରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ହୋଇଥିବା ବର୍ଷା ପରିମାଣ ଗତ ୬ ଦଶନ୍ଧିରେ ସବୁଠାରୁ କମ୍ । ସେପଟେ ପଶ୍ଚିମ ଆମେରିକା ମରୁଡ଼ି ସ୍ଥିତି ସ୍ୱାଭାବିକ ଘଟଣା ପାଲଟିଛି ।