ଆମେରିକାରେ କିଏ ହେବ ରାଷ୍ଟ୍ରପତି: ଗଣତିରେ ଆଗରେ ବାଇଡେନ୍, ପଛରେ ଟ୍ରମ୍ପ; ବହୁମତ ପାଇଁ ଆବଶ୍ୟକ ୨୭୦ ଇଲେକ୍ଟରାଲ୍ କଲେଜ୍ ଭୋଟ୍

757

କନକ ବ୍ୟୁରୋ: ଆମେରିକା ବାଛୁଛି ରାଷ୍ଟ୍ରପତି । ଏଥିପାଇଁ ଶେଷ ହୋଇଛି ଭୋଟ୍ ଗ୍ରହଣ । ଏବେ ସମସ୍ତଙ୍କ ନଜର ଗଣତି ଉପରେ । କିଏ ହେବ ଆମେରିକାର ନୂଆ ରାଷ୍ଟ୍ରପତି, ଏହା ଉପରେ ରହିଛି ସାରା ବିଶ୍ୱର ନଜର । ଆମେରିକାରେ ରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍ ଭୋଟ୍ । ସୂଚନା ଅନୁସାରେ ଏବେ ଜୋ ବାଇଡେନଙ୍କୁ ୨୨୩ ଏବଂ ଟ୍ରମ୍ପ ୨୧୨ ଇଲେକ୍ଟୋରାଲ୍ କଲେଜ ଭୋଟ୍ ମିଳିଛି । ପ୍ରାଥମିକ ରିପୋର୍ଟ ଅନୁସାରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ , ଟ୍ରମ୍ପଙ୍କ ଠାରୁ ଆଗରେ ରହିଛନ୍ତି । ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ଅଲବାମା, ମିସିସିପି, ଓକଲାହୋମ୍ ଏବଂ ଟେନେସିରେ ବିଜୟୀ ହୋଇଛନ୍ତି ।

ଡେମୋକ୍ରେଟ୍ ପ୍ରାର୍ଥୀ ଜୋ ବାଇଡେନ କନେକ୍ଟିକଟ୍, ଡେଲାବେୟର, ଇଲିନୋଇସ୍, ମେରିଲାଣ୍ଡ, ମାସାଚୁସେଟସ୍, ନ୍ୟୁଜର୍ସି ଏବଂ ରୋଡ୍ ଆଇଲାଣ୍ଡ ରାଜ୍ୟରେ ବିଜୟୀ ହୋଇଛନ୍ତି । କେଂଟୁକି ଏବଂ ଇଣ୍ଡିଆନାରେ ଟ୍ରମ୍ପ ବିଜୟୀ ହୋଇଛନ୍ତି । ଆରକାନାସରେ ଟ୍ରମ୍ପ , ନ୍ୟୁୟର୍କରେ ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି । ଏଥିସହ ବହୁ ସଂଖ୍ୟାରେ ନାଗରିକ ମେଲ ଇନ୍ ବ୍ୟାଲାଟ ଓ ପୋଷ୍ଟାଲ ଜରିଆରେ ଭୋଟ ଦେଇଛନ୍ତି । ଏହାର ଗଣତି ସରିନାହିଁ । ଏସବୁକୁ ମିଶାଇଲେ ଚୂଡାନ୍ତ ଫଳାଫଳ ଆସିବ । ଆମେରିକାରେ ଫ୍ଲୋରିଡା, ନର୍ଥକାରୋଲିନା, ଓହିଓ ଏବଂ ପେନସିଲଭାନିଆରେ ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଫ୍ଲୋରିଡାରେ ଟ୍ରମ୍ପ ଜିତିବା ପରେ ନିର୍ବାଚନ ଫଳା ଫଳ ଅଧିକ ରୋଚକ ହୋଇଛି ।

ଆମେରିକାର ବିଗ ବିସ କିଏ ହେବ ତା ଉପରେ ସାରା ବିଶ୍ୱର ନଜର ରହିଛି । ଆସନ୍ତା ୪ ବର୍ଷ ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର କିଏ ମୁଖ୍ୟ ହେବ ସେ ନେଇ ଆମେରିକାବାସୀ ନିଜର ମତ ରଖିସାରିଛନ୍ତି । ଆମେରିକାର ୪୬ ତମ ରାଷ୍ଟ୍ରପତି ପଦ ପାଇଁ ଚାଲିଥିବା ଭୋଟିଂ ଶେଷ ହୋଇଛି ।

ନଜର ପକାଇବା କେଉଁ ରାଜ୍ୟରେ କିଏ ଆଗରେ ରହିଛି

-ଆମେରିକା ବହୁମତ ପାଇଁ ଆବଶ୍ୟକ ୨୭୦ ଇଲେକ୍ଟରାଲ୍ କଲେଜ୍ ଭୋଟ୍

-ବର୍ତମାନ ସୁଦ୍ଧା ପ୍ରାରମ୍ଭିକ ଗଣତି ଚାଲିଛି

-ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କୁ ୨୨୩ ଇଲେକ୍ଟରାଲ୍ ଭୋଟ ମିଳିଛି

-ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ୨୧୨ ଭୋଟ

-ସିଏନଏନ ଅନୁସାରେ, ଜୋ ବାଇଡେନ ନ୍ୟୁ ଜର୍ସିରେ ବିଜୟୀ ହୋଇଛନ୍ତି

-ନ୍ୟୁ ଜର୍ସିରେ ମୋଟ ୧୪ ଇଲେକ୍ଟ୍ରୋରାଲ ଭୋଟ ରହିଛି

-ଫ୍ଲୋରିଡାରେ ଟ୍ରମ୍ପଙ୍କ ବଡ ବିଜୟ

-ଭର୍ଜିନିଆ, ଇଣ୍ଡିଆନା,ଟେନେସି ଓ ଓଖଲାମା ଭଲି ରାଜ୍ୟରେ ଟ୍ରମ୍ପ ଆଗରେ ଅଛନ୍ତି

-ଡେଲବେୟର, ୱାଂଶିଟନ ଡିସିରେ ବାଇଡେନ ଆଗରେ

-ଭୋଟ ସରିଥିବା ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିବାରେ ଲାଗିଛି