ଟେନସନରେ ଆମେରିକାବାସୀ ! ନିର୍ବାଚନକୁ ନେଇ ଚିନ୍ତାରେ ଆମେରିକା ନାଗରିକ । ନିର୍ବାଚନ ଫଳାଫଳକୁ ନେଇ ହିଂସା ଆଶଙ୍କା ।

272

କନକ ବ୍ୟୁରୋ: ଦୁନିଆର ନଜର ଆମେରିକା ଉପରେ ରହିଥିବାବେଳେ ଆମେରିକାର ନାଗରିକ କିନ୍ତୁ ଆଶା ଓ ଆଶଙ୍କାରେ ରହିଛନ୍ତି । ଫଳାଫଳ ନେଇ ଏକପ୍ରକାର ଟେନସନରେ ଅଛନ୍ତି ଆମେରିକାବାସୀ । ୱାଂଶିଟନରୁ ଆରମ୍ଭ କରି ଚିକାଗୋ ଯାଏଁ ସବୁ ସୋ ରୁମ, ମନ୍ତ୍ରଣାଳୟ ଓ ବିଭାଗକୁ ଫ୍ଲାଏଉଡରେ ଘୋଡାଇଦିଆଯାଉଛି । ଆମେରିକା ଚିକାଗୋ ହେଉଛି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । କିନ୍ତୁ ଏଠାରେ ଥିବା ସୋ ରୁମ ଆଗରେ ପୁଲିସ ପଇଁତରା ମାରୁଛି । ଆଉ ଏସବୁର କାରଣ ହେଉଛି ହିଂସା ଆଶଙ୍କା । ଆଶଙ୍କା କରାଯାଉଛି ଯଦି ଡୋନାଲ୍ଡ ଟ୍ରମ୍ପ ଜିତିଲେ ଅଶ୍ୱେତ ହଙ୍ଗାମା କରିପାରନ୍ତି ।

ଆଉ ଯଦି ଟ୍ରମ୍ପ ହାରନ୍ତି ତାହାହେଲେ ରିପବ୍ଲିକାନ ସମର୍ଥକ ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରିପାରନ୍ତି । ଅର୍ଥାତ ସିଧାସଳଖ କହିବାକୁ ଗଲେ, ଫଳାଫଳ ଯାହା ହେଲେ ବି ହିଂସା ହେବା ସମ୍ଭାବନା ରହିଛି । ହିଂସାର ଆଶଙ୍କା ୱାଂଶିଟନରେ ବି ଅଛି । କାରଣ, ଚଳିତ ବର୍ଷ ପ୍ରଥମାର୍ଧାରେ ଜଣେ ଅଶ୍ୱେତଙ୍କ ହତ୍ୟା ପରେ ପ୍ରବଳ ହିଂସା ହୋଇଥିଲା । ହ୍ୱାଇଟହାଉସ ନିକଟରେ ବିକ୍ଷୋଭକାରୀ ଜୋରଦାର ପ୍ରଦର୍ଶନ କରିଥିଲେ । ଏହାଛଡା ବିଭିନ୍ନ ମିଡିଆ ରିପୋର୍ଟସ ଅନୁସାରେ, ନିର୍ବାଚନ ପୂର୍ବରୁ ଆମେରିକାରେ ରେକର୍ଡ ବନ୍ଧୁକ ବିକ୍ରୀ ହୋଇଛି । ପ୍ରାୟ ୫୦ ଲକ୍ଷ ଲୋକ ବନ୍ଧୁକ କିଣିଛନ୍ତି ।

ଅନ୍ୟପଟେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଭିତରେ ସାମ୍ନାକୁ ଆସିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିୟର ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଟୁଇଟ୍ । ଏହି ଟୁଇଟରେ ସେ ଦର୍ଶାଇଛନ୍ତି ବିଶ୍ୱର କେଉଁ ଅଂଶ ଟ୍ରମ୍ପଙ୍କ ସମର୍ଥନ କରୁଛି, କେଉଁ ଅଂଶ ବାଇଡେନଙ୍କ ସମର୍ଥନ କରୁଛି । ଲାଲ ରଙ୍ଗ ଥିବା ଅଂଚଳ ଟ୍ରମ୍ପଙ୍କୁ ଆଉ ନୀଳ ରଙ୍ଗ ଅଂଚଳ ବାଇଡେନଙ୍କ ସମର୍ଥନ କରୁଥିବା ସେ ଟୁଇଟରେ କହିଛନ୍ତି । ତେବେ ବିବାଦୀୟ କଥା ହେଉଛି ଏହି ଟୁଇଟରେ ସେ ବ୍ୟବହାର କରିଥିବା ଫଟୋରେ ଭାରତର ଜାମ୍ମୁକାଶ୍ମୀରକୁ ସେ ପାକିସ୍ତାନର ଅଂଶ ଭାବେ ଦର୍ଶାଇଛନ୍ତି । ଯାହା ରହିଛି ଲାଲ ରଙ୍ଗ ଅଂଚଳରେ । ଆଉ ଭାରତ ରହିଛି ନୀଳ ରଙ୍ଗ । ଅର୍ଥାତ୍ ଭାରତ ବାଇଡେନଙ୍କ ସମର୍ଥନ କରୁଥିବା ସେ ଦର୍ଶାଇଛନ୍ତି । ଟ୍ରମ୍ପଙ୍କ ପୁଅଙ୍କ ଏହି ଟୁଇଟ୍ ପରେ ଦେଶରେ ରାଜନୈତିକ ପାରା ବଢିଯାଇଛି । ଭାରତ, ଚୀନ, ଆଫ୍ରିକା ଏବଂ ଲାଇବେରିଆକୁ ଟ୍ରମ୍ପଙ୍କ ପୁଅ ବାଇଡେନଙ୍କ ସମର୍ଥକ ବୋଲି ଟୁଇଟରେ ବ୍ୟବହାର କରିଥିବା ବିଶ୍ୱ ମାନଚିତ୍ରରେ ଦର୍ଶାଇଛନ୍ତି ।