ଜୋ-ବାଇଡେନ୍ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

121

କନକ ବ୍ୟୁରୋ : ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଆଜି ଭାରତରେ ପହଂଚିବେ ବୋଲି ସୂଚନା ମିଳିଛି । ଆମେରିକାର ରାଷ୍ଟ୍ରପତି ଭାବେ ଜୋ- ବାଇଡେନ ଶପଥ ନେବା ପରେ ପ୍ରଥମଥର ପାଇଁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ଜଣେ ମନ୍ତ୍ରୀ ଭାରତ ଆସିବା ନେଇ ଅନେକ ସମ୍ଭାବନା ଦେଖା ଦେଇଛି । ଏହି ଗସ୍ତ ସମୟରେ ଅଷ୍ଟିନ୍ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ୍ ସିଂ ଓ ଏନଏସଏ ଅଜିତ୍ ଡୋଭାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଲାୟଡ ଶୁକ୍ରବାର ସନ୍ଧ୍ୟାରେ ଭାରତ ପହଂଚିବା ପରେ ଶନିବାର ଦିନ ପ୍ରଥମେ ସେ ନ୍ୟାଶନାଲ ୱାର ମେମୋରିଆଲରେ ସହିଦ ହୋଇଥିବା ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହି କାର୍ଯ୍ୟକ୍ରମ ବେଳେ ଭାରତର ୩ ସେନା ପକ୍ଷରୁ ତାଙ୍କ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ   । ଏହାପରେ ସେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ବୈଠକ କରିବେ । ଏହି ବୈଠକରେ ଉଭୟ ଦେଶର ସୈନ୍ୟ ପ୍ରତିନିଧି ଉପସ୍ଥିତ ରହିବେ ।

ଆମେରିକା ପ୍ରତିରକ୍ଷା ବିଭାଗର ସୂଚନା ମୁତାବକ ଲାୟଡ ନିଜ ସମକକ୍ଷଙ୍କ ସହ ଜାତୀୟ ସୁରକ୍ଷା ନେଇ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହାସହ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କ ମଜବୁତ କରିବା ନେଇ କିଛି ବିଶେଷ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଇଛି । ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଚୀନର ଏକଛତ୍ରବାଦ ଆଧିପତ୍ୟ ଉପରେ ଆଲୋଚନା ହେବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।