ଆମେରିକା ଓ ଇରାନ ମଧ୍ୟରେ ଘନାଇଲା ଯୁଦ୍ଧ । ଇରାନର ମିଜାଇଲ ମାଡ଼ରେ ଉଡ଼ିଗଲା ଆମେରିକାର ସାମରିକ ପ୍ରତିଷ୍ଠାନ, ୮୦ ମୃତ ।

865

କନକ ବ୍ୟୁରୋ : ସୁଲେମାନୀ ହତ୍ୟାର ପ୍ରତିଶୋଧ ନେଲା ଇରାନ । ଉଭୟ ଆମେରିକା ଓ ଇରାନ ମଧ୍ୟରେ ଘନେଇଲା ଯୁଦ୍ଧ ପରିସ୍ଥିତି । ଇରାକ ସ୍ଥିତ ଆମେରିକୀୟ ସାମରିକ ଘାଟି ଉପରେ ଇରାନର ରକେଟ୍ ମାଡରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇରାନ । ମୃତକଙ୍କ ମଧ୍ୟରେ ୨୦ ଆମେରିକୀୟ ସେନା ଥିବା କୁହାଯାଇଛି । ଏହି ଆକ୍ରମଣ ପାଇଁ ଇରାନ ୨୨ଟି ମିସାଇଲ ବ୍ୟବହାର କରିଥିବା ଜଣାପଡିଛି । ଆଜିର ଏହି ଆକ୍ରମଣ ଆମେରିକାକୁ ଏକ ଶକ୍ତ ଚାପୁଡା ବୋଲି କହିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟୋଟା ଅଲ୍ଲୀ ଖାମେନୀ । ମଙ୍ଗଳବାର ବିଳମ୍ବିତ ରାତିରେ ଇରାନ ସ୍ଥିତ ଆମେରିକା ସେନା କ୍ୟାମ୍ପ ଉପରେ ବାଲାଷ୍ଟିକ ମିସାଇଲ ମାଡ କରିଥିଲା ଇରାନ । ଇରାନର ମିଜାଇଲ ମାଡ ଦାବିକୁ ସ୍ୱୀକାର କରିଛନ୍ତି ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟୁଇଟ କରି କହିଛନ୍ତି କ୍ଷୟକ୍ଷତି ଆକଳନ ଚାଲିଛି ଏବଂ ଆସନ୍ତାକାଲି ଆମେରିକା ବୟାନ ରଖିବ ।

ଇରାକରେ ଥିବା ଆମେରିକା ସେନା ଶିବିର ଉପରେ ଚକ୍କର କାଟୁଛନ୍ତି ଇରାନ ଲଢୁଆ ବିମାନ । ମଙ୍ଗଳବାର ବିଳମ୍ବିତ ରାତିରେ ଏକାଧିକ ଆମେରିକା ସେନା ଶିବିରକୁ ଟାର୍ଗେଟ କରି ହୋଇଛି ମିଜାଇଲ ମାଡ । ଇରାନ ମିଡିଆର ଦାବି ମୁତାବକ ମଙ୍ଗଳବାର ରାତି ପ୍ରାୟ ସାଢେ ଗୋଟାଏରେ ଇରାନ ଆକ୍ରମଣରେ ୮୦ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଛି । କୁଦସ ଫୋର୍ସ କମାଣ୍ଡର କାସିମ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଡର୍ଜନରୁ ଅଧିକ ବାଲିଷ୍ଟିକ ମିଜାଇଲ ମାଡ କରିଛି ଇରାନ ସେନା । ଯଦିଓ କ୍ଷୟକ୍ଷତି ନେଇ ଆକଳନ କରୁଥିବା କହିଛି ପେଂଟାଗନ୍ । କିନ୍ତୁ ଇରାନ ମିଡିଆରେ ହେଉଥିବା ପ୍ରଚାର ଅନୁସାରେ ଆମେରିକା ସେନାର ବ୍ୟାପକ କ୍ଷତି ଘଟାଇଛନ୍ତି ଇରାନ ରିଭୋଲ୍ୟୁସନାରୀ ଗାର୍ଡ ଫୋର୍ସର ଦୁର୍ଦ୍ଦର୍ଶ ସୈନ୍ୟ ।

ନ୍ୟୁଜ ଏଜେନ୍ସି ‘ଇସ୍ନା’ର ରିପୋର୍ଟ ଅନୁସାରେ ଆମେରିକାର ଆକ୍ରାମକ ଫୋର୍ସ ଅଲ ଅସଦ ଉପରେ ଜୋରଦାର ମିଜାଇଲ ମାଡ କରିଛି ଇରାନ ସେନା । କୁଦସ ଫୋର୍ସ କମାଣ୍ଡର କାସିମ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଇରାନ ରିଭୋଲ୍ୟୁସନାରି ଗାର୍ଡ ଫୋର୍ସ ।

ଆମେରିକାର ଜଣେ ଅଧିକାରୀଙ୍କୁ କୋଟ କରି ଏବିସି ନ୍ୟୁଜ ଲେଖିଛି ଯେ, ଆମେରିକାର ଏକାଧିକ ସୈନ୍ୟ ଶିବିର ଉପରେ ବାଲିଷ୍ଟିକ ମିଜାଇଲରେ ଆକ୍ରମଣ କରିଛି ଇରାନ । ଯାହା ଭିତରେ ଅଛି ଉତର ଇରାକରେ ଥିବା ଏରବିଲ ଓ ପଶ୍ଚିମ ଇରାକରେ ଥିବା ଅଲ ଅସଦ ଏୟାରବେସ୍ । ସୂଚନା ଅନୁସାରେ ଇରାନ ଏହାର ନାମକରଣ କରିଥିଲା ସହିଦ ସୁଲେମାନି ଅପରେସନ । ଏବେ ଆମେରିକାର ସହଯୋଗୀ ଦେଶଗୁଡିକର ସୈନ୍ୟଙ୍କୁ ଇରାନ ଟାର୍ଗେଟ କରିବ ବୋଲି କହିଛି । ତେବେ ଆମେରିକା ଏୟାରବେସ ଉପରେ ଜୋରଦାର ଆକ୍ରମଣ ପରେ ଇରାନ ତାର ପରମାଣୁ ପ୍ଲାଂଟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି । କାରଣ ଆମେରିକା ଏହାକୁ ଟାର୍ଗେଟ କରିବାର ଆଶଙ୍କା ବଢିଯାଇଛି । ହେଲେ ଆମେରିକା କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ଏହାର ଅନ୍ୟ ୧୦୦ଟି ଠିକଣାକୁ ଟାର୍ଗେଟ କରାଯିବ ବୋଲି ମଧ୍ୟ ଇରାନ ଚେତାଇ ଦେଇଛି ।

ପ୍ରସିଦ୍ଧ ମସଜିଦ-ଏ-କୁମରେ ନାଲି ପତାକା ଉଡାଇ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇରାନ । ମଧ୍ୟପ୍ରାଚ୍ୟରେ ଆମେରିକାକୁ ସହାୟତା କରୁଥିବା ଇସ୍ରାଏଲ ସେନା ଓ ହାର୍ମୁଜ ଜଳ-ପ୍ରଣାଳୀରେ ସାଉଦି ଆରବର ତେଲ ଟ୍ୟାଙ୍କରକୁ ଟାର୍ଗେଟ କରି ମଧ୍ୟ ପ୍ରତିଶୋଧ ନେଇପାରେ ଇରାନ୍ ।

ସେପଟେ ବାରମ୍ବାର ଇରାନକୁ ନାଲିଆଖି ଦେଖାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟାକୁ ନେଇ ସସପେନ୍ସ ଆହୁରି ଘନୀଭୂତ ହୋଇଛି । କାରଣ ଅଲ ଇଜ ୱେଲ ବୋଲି ଟ୍ୱିଟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଇରାକରେ ଥିବା ଦୁଇଟି ଆମେରିକା ସେନା ଶିବିରକୁ ଇରାନ ମିଜାଇଲ ମାଡ କରିଥିବା ସ୍ପଷ୍ଟ କରିଛନ୍ତି ଟ୍ରମ୍ପ । ଆକ୍ରମଣରେ କ୍ଷୟକ୍ଷତିର ହିସାବ କରାଯାଉଥିବା ମଧ୍ୟ ସୂଚନା ଦେଇଛନ୍ତି । ଏଥିସହ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ସେନା ଆମେରିକା ପାଖରେ ଥିବା ମଧ୍ୟ କହିବାକୁ ଭୁଲି ନାହାନ୍ତି । ପରବର୍ତୀ ସମୟରେ ସେ ତାଙ୍କର ବିବୃତି ଜାରି କରିବେ ବୋଲି ଜଣାପଡିଛି । ତେଣୁ ଆଗକୁ ଆମେରିକା କି ପଦକ୍ଷେପ ନେବ, ତାହା ହିଁ ସବୁଠାରୁ ଉତ୍କଣ୍ଠାର ବିଶୟ ହୋଇଛି । ଇରାନ ଆକ୍ରମଣର ପ୍ରତିଶୋଧ ନେବାପାଇଁ ଆମେରିକା କୌଣସି ବଡଧରଣର ହମଲା କଲେ ମଧ୍ୟ-ପ୍ରାଚ୍ୟରେ ପରିସ୍ଥିତି ଆହୁରି ସାଂଘାତିକ ହୋଇପଡିବ ।