ନ୍ୟୁୟର୍କର ବୁଫାଲୋ ସୁପରମାର୍କେଟରେ ପ୍ରବଳ ଗୁଳିମାଡ଼ । ୧୦ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

116

କନକ ବ୍ୟୁରୋ : ଆମେରିକା ନ୍ୟୁୟର୍କର ବୁଫାଲୋ ସୁପରମାର୍କେଟରେ ପ୍ରବଳ ଗୁଳିମାଡ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗୁଳିମାଡ କରିଥିବା ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକଙ୍କ ବୟସ ୧୮ ବର୍ଷ ହେବ । ସେ ପିନ୍ଧିଥିବା ଏକ ଟେକ୍ଟିକାଲ ହେଲମେଟରେ ଏକ ସ୍ୱତନ୍ତ୍ର କ୍ୟାମେରା ଲାଗିଥିଲା । ଏହି କ୍ୟାମେରା ଦ୍ୱାରା ଗୁଳିମାଡର ଲାଇଭ୍ ଷ୍ଟ୍ରିମିଂ କରାଯାଉଥିଲା । ସେ ସେନାର ପୋଷାକ ପିନ୍ଧିଥିଲେ । ଏଥିରେ ଅନେକ ମାରଣାସ୍ତ୍ର ରହିଥିଲା । ସେ ଗାଡିରୁ ଓହ୍ଲାଇବା ପରେ ଆଖିବୁଜା ଗୁଳିମାଡ କରିଥିଲେ । ଏକ ଗ୍ରୋସରୀ ଷ୍ଟୋର ଭିତରେ ହୋଇଥିବା ଗୁଳିମାଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ବୁଫାଲୋ ପୋଲିସର ଜଣେ ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଅଛନ୍ତି । ସେଠାରେ ସେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ ।
ପୋଲିସର ସୂଚନା ଅନୁସାରେ ଗ୍ରୋସରୀ ଷ୍ଟୋରରେ ପୋଲିସ ଯେତେବେଳେ ପହଂଚିଥିଲା, ବନ୍ଧୁକଧାରୀ ନିଜ ବେକରେ ବନ୍ଧୁକ ଲଗାଇ ଦେଇଥିଲା । ପୋଲିସ କିଛି ସମୟ ତାଙ୍କ ସହ ଆଲୋଚନା କରିଥିଲା । ଏହା ପରେ ସେ ଆତ୍ମସମର୍ପଣ କରିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସାଧାରଣ ଲୋକଙ୍କୁ ସୁପରମାର୍କେଟ୍କୁ ଯିବା ପାଇଁ ବାରଣ କରାଯାଇଛି ।