ବ୍ୟାନ୍ ହେଲା TikTok । ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ଦର୍ଶାଇ ଏହି ଭିଡିଓ ଆପକୁ ବ୍ୟାନ୍ କଲା ଆମେରିକା ଆର୍ମି ।

1,210

କନକ ବ୍ୟୁରୋ : ବ୍ୟାନ୍ ହେଲା ଟିକଟକ୍ । ଦେଶର ସୁରକ୍ଷା ଉପରେ ବିପଦ ଦର୍ଶାଇ ସବୁଠାରୁ ଲୋକପ୍ରିୟ ଚାଇନିଜ୍ ଭିଡିଓ ଆପ୍ ଟିକଟକକୁ ବ୍ୟାନ କଲା ଆମେରିକା ଆର୍ମି । ଏଣିକି ଆମେରିକାର ଆର୍ମି ସୋଲଜର୍ସ ଏହାକୁ ବ୍ୟବହାର କରିପାରିବେ ନାହିଁ । ତେବେ ଏହା ପଛରେ ରହିଛି ଏକ ବଡ କାରଣ । ଆମେରିକା ଆର୍ମିର କହିବା ଅନୁଯାୟୀ, ଏହି ଚାଇନିଜ୍ ଭିଡିଓ ଆପ୍ ଜାତୀୟ ସୁରକ୍ଷା ପାଇଁ ବଡ ବିପଦ ଅଟେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଟିକଟକକୁ ସାଇବର ଥ୍ରେଟ୍ ବୋଲି କହିଛନ୍ତି ଆମେରିକା ଆର୍ମି ମୁଖପାତ୍ର । ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ଆମେରିକା ନୌସେନା ମଧ୍ୟ ଟିକଟକ୍ ଉପରେ ବ୍ୟାନ୍ ଲଗାଇଥିଲା । ଏହା ସହ ଡିଫେନ୍ସ ବିଭାଗ ମଧ୍ୟ ମୋବାଇଲରେ କୌଣସି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

ଆଉ ଏହାରି ଭିତରେ ଆମେରିକାରେ ଟିକଟକ୍ ଆପର ଯାଂଚ ମଧ୍ୟ ଚାଲିଛି । ତେବେ ଯାଂଚର ମୁଖ୍ୟ ବିଷୟ ହେଉଛି, ଏହି ଚାଇନିଜ୍ ଆପ୍, ବ୍ୟବହାରକାରୀଙ୍କ ଡାଟା ସଂଗ୍ରହ କରୁଛି ନା ନାହିଁ ।

ପୂର୍ବରୁ ଭାରତରେ ମଧ୍ୟ ଟିକଟକକୁ ବ୍ୟାନ୍ କରାଯାଇଥିଲା । କିନ୍ତୁ ବ୍ୟାନ୍ କରାଯିବାର କାରଣ ଥିଲା ଏଥିରେ ଦେଖାଯାଉଥିବା କଣ୍ଟେଟ । ମାଡ୍ରାସ ହାଇକୋର୍ଟ ଏହି ଆପକୁ ବ୍ୟାନ୍ କରିବା ନେଇ ରାୟ ଶୁଣାଇଥିଲେ । କୁହାଯାଇଥିଲା, ଏହି ଆପ୍ ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପକାଉଛି ଏବଂ ବ୍ୟବହାରକାରୀଙ୍କୁ ମାନସିକ ସ୍ତରରେ ପ୍ରଭାବ ପକାଉଛି । ଏହା ପରେ ଟିକଟକ ନିଜ ପଲିସିରେ କେତେକ ପରିବର୍ତନ କରି ପୁଣି ଥରେ ଲୋକପ୍ରିୟ ହୋଇପାରିଛି ।

ସୂଚନା ଅନୁଯାୟୀ, ଟିକଟକ୍ ଏଭଳି ଏକମାତ୍ର ଭିଡିଓ ଆପ୍, ଯାହାକି କମ୍ ସମୟ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇପାରିଛି । ଆଉ ଏକ୍ସପର୍ଟଙ୍କ କହିବା କଥା, ଟିକଟକ୍ ଯେଉଁଭଳି ଭାବେ ଆଗକୁ ବଢୁଛି, ଆଗାମୀ ଦିନରେ ଫେସବୁକକୁ ଏହା କଡା ଟକ୍କର ଦେବ ।