କନକ ବ୍ୟୁରୋ : ଆମେରିକା ଓ ବ୍ରିଟେନର ସେନା ମିଳିତ ଭାବେ ୟମନରେ ଥିବା ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ଚଢାଉ ଆରମ୍ଭ କରିଦେଇଛନ୍ତି । ଏହାପରେ ହୁତି ବିଦ୍ରୋହୀମାନେ ଆମେରିକା ଓ ବ୍ରିଟେନକୁ ଚେତାବନୀ ଦେଇ କହିଛନ୍ତି କି, ଏଭଳି ଆକ୍ରମଣ ପାଇଁ ଉଭୟ ଦେଶର ସେନାକୁ ଅନୁତାପ କରିବାକୁ ପଡିବ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ସ୍ପଷ୍ଟ କରିଦେଇଛନ୍ତି କି, ଏହି ଆକ୍ରମଣ ହୁତି ବିଦ୍ରୋହୀଙ୍କୁ ଜବାବ ଦେବାକୁ କରାଯାଉଛି । ଆମେରିକାର ଲାଲ ସାଗର ଦେଇ ଯାଉଥିବା ଜାହାଜକୁ ଟାର୍ଗେଟ କରୁଥିବାରୁ ହୁତି ବିଦ୍ରୋହୀଙ୍କ ଉପରେ ଏହା ପ୍ରତି ଜବାବ ବୋଲି ବାଇଡେନ କହିଛନ୍ତି ।

Advertisment

ଆମେରିକା ଓ ବ୍ରିଟେନ ସେନାର ଆକ୍ରମଣ ପରେ ହୁତି ବିଦ୍ରୋହୀମାନେ ଯୁଦ୍ଧ ଘୋଷଣା କରିଛନ୍ତି । ଏହାସହ ସେମାନେ ମଧ୍ୟ ଉଭୟ ଦେଶର ସେନା ଉପରେ ପ୍ରତି ଆକ୍ରମଣ କରୁଛନ୍ତି । ଶୁକ୍ରବାର ଦିନ ହୁତିର ଉପ-ବିଦେଶମନ୍ତ୍ରୀ ହୁସେନ ଅଲ-ଏଜି କହିଛନ୍ତି କି, ୟମନ ଉପରେ ଯେଭଳି ଭାବେ ଆମେରିକା ଓ ବ୍ରିଟେନ ଆକ୍ରମଣ ଜାରି ରଖିଛନ୍ତି ଏହାର କଡା ଜବାବ ଦେବୁ । ହୁତି ବିଦ୍ରୋହୀଙ୍କ ଅଧିକାରୀ କହିଛନ୍ତି କି, ଆମେରିକା ଓ ବ୍ରିଟେନର ସେନା ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ବଡ ଧରଣର ଆକ୍ରମଣ ଚଳାଇଛନ୍ତି । ଯାହାର ଉପଯୁକ୍ତ ଜବାବ ଦିଆଯିବ । ସେପଟେ ସାଉଦି ଅରବ ଏହି ମାମଲାରେ ସଂଜମତା ରକ୍ଷା କରିବାକୁ ଉଭୟ ଦେଶକୁ ପରାମର୍ଶ ଦେଇଛି ।

ଆମେରିକା ସେଣ୍ଟ୍ରାଲ କମାଣ୍ଡର ସୂଚନା ମୁତାବକ ଗୁରୁବାର ରାତିରେ ବ୍ରିଟେନ ସେନା ଓ ଆମେରିକା ସେନା ମିଳିତ ଭାବେ ହୁତି ବିଦ୍ରୋହୀଙ୍କ ବିଭିନ୍ନ ଠିକଣା ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ହୁତି ବିଦ୍ରୋହୀଙ୍କ ରାଡାର ସିଷ୍ଟମ, ଏୟାର ଡିଫେନ୍ସ ସିଷ୍ଟମ, ଓ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନଷ୍ଟ କରାଯାଇଛି । ଆମେରିକା ଦାବି କରିଛି କି, ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଗତବର୍ଷ ଅକ୍ଟୋବର ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ଲାଲ ସାଗରର ଅର୍ନ୍ତରାଷ୍ଟ୍ରୀୟ ସମୁଦ୍ର ମାର୍ଗରେ ୨୭ ଟି ଜାହାଜ ଉପରେ ଆକ୍ରମଣ କରିଛନ୍ତି ।

କେବଳ ସେତିକି ନୁହେଁ ଆମେରିକା ସ୍ପଷ୍ଟ କରିଛି ଯେ, ଯଦି ହୁତି ବିଦ୍ରୋହୀମାନେ ଲାଲ ସାଗରରେ ଜାହାଜ ଉପରେ ଆକ୍ରମଣ ଜାରି ରଖିବେ ତେବେ ହୁତି ବିଦ୍ରୋହୀଙ୍କୁ ସମାପ୍ତ କରିଦିଆଯିବ ।