କନକ ବ୍ୟୁରୋ: ଆମେରିକାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଶତ୍ରୁତା ଭୁଲି ଦୁଇ ଦେଶ ଗୋଟିଏ ଟେବୁଲରେ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍  ପରସ୍ପର ହାତ ମିଳାଇଛନ୍ତି । ବୁଧବାର କାଲିଫର୍ଣ୍ଣିିଆରେ ଆୟୋଜିତ ଉଚ୍ଚ ସ୍ତରୀୟ ବୈଠକରେ ଉଭୟ ନେତା ନିଜ ଦେଶକୁ ବିବାଦରୁ ଦୂରେଇ ରଖିବାକୁ ପ୍ରତିଶୃତି ଦେଇଛନ୍ତି ।

Advertisment

ନିକଟ ଅତୀତରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଅନେକ ବିବାଦ ଉପୁଜିଛି । ବିଶେଷ କରି ତାଇୱାନ ସମ୍ବନ୍ଧରେ, ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଛି । ଏହି ବୈଠକରେ ଉଭୟ ଦେଶର ନେତା ବାଣିଜ୍ୟ, ବିଭିନ୍ନ ପ୍ରସଙ୍ଗରେ ପରସ୍ପର ଲଗାଇଥିବା ପ୍ରତିବନ୍ଧକ ଏବଂ ତାଇୱାନ ବିଷୟରେ ବ୍ୟକ୍ତିଗତ ଆଲୋଚନା କରିଥିଲେ । ବର୍ଷ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଥିବା ପ୍ରସଙ୍ଗ ଉପରେ ମଧ୍ୟ ବିଶ୍ୱର ଦୁଇ ପ୍ରମୁଖ ନେତା ଆଲୋଚନା କରିଥିଲେ । ବାଇଡେନ ତାଙ୍କ ଅଭିଭାଷଣର ଆରମ୍ଭରେ କହିଥିଲେ ଯେ ଟେନସନ ଦ୍ୱନ୍ଦ୍ୱରେ ପରିଣତ ହେବା ଉଚିତ୍ ନୁହେଁ  । ବୈଠକ ସବୁବେଳେ ସ୍ପଷ୍ଟ ଏବଂ ଉପଯୋଗୀ ହେବା ଆବଶ୍ୟକ । ବିନା କୌଣସି ଭୁଲ ବଝାମଣାରେ ଉଭୟ ନେତା ପରସ୍ପରକୁ ବୁଝିବା ଆବଶ୍ୟକ ।  ସେହିପରି ଚୀନ୍ ରାଷ୍ଟ୍ରପତି କହିଛନ୍ତି ଯେ ଦ୍ୱନ୍ଦ୍ୱ ଏବଂ ମୁକାବିଲା ଉଭୟ ପକ୍ଷ ପାଇଁ ଅସହ୍ୟ ପରିଣାମ ଆଣିପାରେ । ଚୀନ୍ ଏବଂ ଆମେରିକା ପରି ବଡ ଦେଶ ପାଇଁ ପରସ୍ପରଠାରୁ ଦୂରେଇ ରହିବା ବିବାଦର ସମାଧାନ ଦିଗରେ ଏକ ବିକଳ୍ପ ରାସ୍ତା ନୁହେଁ । ବାଇଡେନ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ଶେଷ ବ୍ୟକ୍ତିଗତ ସାକ୍ଷାତ ନଭେମ୍ବର ୨୦୨୨ ରେ ବାଲିରେ ହୋଇଥିଲା । ଏହା ପରେ ଆମେରିକା ଚଳିତ ବର୍ଷ ଫେବୃଆରୀରେ ଚାଇନାର ଗୁପ୍ତଚର ବେଲୁନ୍ ଗୁଳି ଚଳାଇବା ପରେ ସମ୍ପର୍କରେ ତିକ୍ତତା ବଢିଥିଲା ।