କନକ ବ୍ୟୁରୋ : ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୁଗ ବିଜୟରୁ ଆରମ୍ଭ ହୋଇଛି । ଟି-୨୦ ବିଶ୍ବକପ୍ରୁ ଭାରତ ବିଦାୟର ପ୍ରମୁଖ କାରଣ ପାଲଟିଥିବା ନ୍ୟୁଜିଲାଣ୍ଡକୁ ମାତ୍ର କିଛି ଦିନ ପରେ ଏହି ଦୁଇ ଜଣଙ୍କ ବଳିଷ୍ଠ ରଣନୀତି ବଳରେ ୫ ୱିକେଟ୍ରେ ହରାଇ ଦେଇଛି ଭାରତ । ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି । ନ୍ୟୁଜିଲାଣ୍ଡର ୧୬୫ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ୧୯.୪ ଓଭରରେ ହାସଲ କରି ନେଇ ବିଶ୍ବକପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଊନ୍ନବିଂଶ ମ୍ୟାଚ୍ରୁ ଟିମ୍ ଇଣ୍ଡିଆର ଏହା ନବମ ବିଜୟ ଥିଲା । ସବୁ ଫର୍ମାଟ୍କୁ ମିଶାଇ ନ୍ୟୁଜିଲାଣ୍ଡଠାରୁ ଲଗାତାର ୭ ପରାଜୟ ଧାରାକୁ ବି ଭାଙ୍ଗିଥିଲା ଭାରତ । ସୂର୍ଯ୍ୟ କୁମାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ବୁଧବାର ଦୁଇ ଭାରତୀୟ ଓପନର କେଏଲ୍ ରାହୁଲ (୧୫) ଓ ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା (୪୮) ବିଶ୍ବକପ୍ ବିଫଳତାକୁ ଭୁଲି ଆତ୍ମବିଶ୍ବାସର ସହ ଭାରତର ପଶ୍ଚାତଧାବନ ଆରମ୍ଭ କରିଥିଲେ । ଷଷ୍ଠ ଓଭରର ପ୍ରଥମ ବଲ୍ରେ କିନ୍ତୁ ରାହୁଲଙ୍କୁ ମିଚେଲ ସାଣ୍ଟନର ଚତୁରତାର ସହ ଚାପମ୍ୟାନ୍ଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ । ବିସ୍ଫୋରକ ବ୍ୟାଟିଂ କରୁଥିବା ରୋହିତ ନିଜ ଅର୍ଦ୍ଧଶତକର ୨ ରନ୍ ପୂର୍ବରୁ ପୁଣି ଥରେ ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ବାରା ଆଉଟ୍ ହୋଇଥିଲେ । ଏହା ପୂର୍ବରୁ ରୋହିତ ଏବଂ ଛକା ମାରି ଅର୍ଦ୍ଧଶତକ ପୂରଣ କରିଥିବା ସୂର୍ଯ୍ୟକୁମାର ଯାଦବ (୬୨) ଦ୍ବିତୀୟ ୱିକେଟ୍ରେ ୫୯ ରନ୍ ଯୋଡ଼ି ନେଇଥିଲେ ।
ଫଳରେ ଭାରତ ବିଜୟ ବାସ୍ନା ବାରିବା ଆରମ୍ଭ କରିନେଇଥିଲା । ହେଲେ ଶେଷ ୩ ଓଭରରେ ନ୍ୟୁଜିଲାଣ୍ଡ ଜୋରଦାର ଲଢ଼େଇ କରିଥିଲା । ସୂର୍ଯ୍ୟକୁମାର, ଶ୍ରେୟସ୍ ଆୟର (୫)ଙ୍କ ୱିକେଟ୍ ନେବା ସହ ଭାରତୀୟ ବ୍ୟାଟର୍ଙ୍କୁ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲା । ଫଳରେ ଶେଷ ଓଭରରୁ ଭାରତକୁ ବିଜୟ ପାଇଁ ୧୦ ରନ୍ର ଦରକାର ଥିଲା। ପଦାର୍ପଣକାରୀ ଭେଙ୍କଟେଶ ଆୟର (୪) ଚୌକା ମାରି ଭାରତୀୟ ପ୍ରଶଂସକଙ୍କ ଚିନ୍ତା ଦୂର କରିଥିଲେ। ଏହା ପରେ ଋଷଭ ପନ୍ତ ଆଗକୁ ଆସି ଆଉ ଏକ ସୁନ୍ଦର ଚୌକା ମାରିବା ସହ ୨ ବଲ୍ ପୂର୍ବରୁ ଭାରତ ବିଜୟରେ ମୁଣ୍ଡି ମାରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/etd5u1tg_rohit-sharma-afp_625x300_17_November_21.jpg)