ରାଜନୀତିରେ ଦ୍ୱିତୀୟଥର ଭାଗ୍ୟ ପରୀକ୍ଷା କରିବେ ଅଭିନେତ୍ରୀ ଉର୍ମିଳା । ହାତରୁ ହତାଶ ହେବା ପରେ ଏବେ ଶିବସେନାକୁ କଲେ ଭରଶା । ସୋମବାର ଶିବସେନାରେ ଯୋଗଦେବା ନେଇ ସୂଚନା ।

136

କନକ ବ୍ୟୁରୋ : ବିନା କ୍ଷମତାରେ ରାଜନୀତି ଅସମ୍ଭବ । ଏହି ଉକ୍ତିଟି କେବଳ ରାଜନେତାଙ୍କ ପାଇଁ ନୁହେଁ । ଏହି ଉକ୍ତି କି ବାରମ୍ବାର ପ୍ରମାଣିତ କରିଛନ୍ତି ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ଚଳଚିତ୍ର ତାରକା ଓ ଖେଳାଳୀ ମାନେ । ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଅଭିନେତ୍ରୀ ଉର୍ମିଳା ମାତୋନ୍ଦକରଙ୍କ ଠାରେ । ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ମୁମ୍ବାଇରୁ ଉର୍ମିଳା କଂଗ୍ରେସ ଟିକେଟରୁ ଲଢିଥିଲେ । ଏହାସହ ୨୦୧୯ ରେ ସେ କଂଗ୍ରେସ ପ୍ରକାଶ କରିଥିବା ଷ୍ଟାର ପ୍ରଚାରକଙ୍କ ତାଲିକାରେ ବି ତାଙ୍କ ନାମ ଥିଲା । ହେଲେ କଂଗ୍ରେସକୁ ଉର୍ମିଳା ତ ସୋଚନୀୟ ପରାଜୟରୁ ରୋକି ପାରିଲେନି ତା ସହିତ ନିଜେ ଲଢୁଥିବା ଆସନରୁ ପରାଜିତ ହୋଇ ମର୍ମାହତ ହୋଇପଡିଲେ । ଏହା ପରେ ସେ ଧିରେ ଧିରେ କଂଗ୍ରେସ ସହ ସଂପର୍କ ତୁଟାଇଥିଲେ ।
ହେଲେ ସଦ୍ୟ ମିଳିଥିବା ସୂଚନା ମୁତାବକ ସେ ଆସନ୍ତାକାଲି (ସୋମବାର) ଶିବସେନାରେ ଯୋଗ ଦେବା କଥା ପଦାକୁ ଆସିଛି । ଏବେ ସେ ଶିବସେନାରେ ଯୋଗ ଦେଇ ବିଧାନପରିଷଦ ସଦସ୍ୟ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ବିଧାନ ପରିଷଦକୁ ରାଜ୍ୟପାଳଙ୍କ କୋଟାରୁ ମନୋନୀତ ହେଉଥିବା ୧୨ ଜଣ ଜଣ ସଦସ୍ୟଙ୍କ ମଧ୍ୟରେ ଉର୍ମିଳାଙ୍କ ନାମକୁ ସୁପାରିଶ୍ ପାଇଁ ପଠାଯାଇଥିଲା । ରାଜ୍ୟପାଳ ଭଗତସିଂ କୋଶିଆରୀଙ୍କ ମଞ୍ଜୁରୀ ମିଳିଲେ ଉର୍ମିଳା ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ହେବେ । ହେଲେ ସେ ଏହା ପୂର୍ବରୁ ଶିବସେନାରେ ଯୋଗ ଦେବା ନେଇ ସ୍ପଷ୍ଟ ହୋଇଛି ।