କନକ ବ୍ୟୁରୋ : ଦିବ୍ୟାଙ୍ଗ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ ବିଜେପି କାର୍ଯ୍ୟକର୍ତ୍ତା । ଆଜି ସେହି ଯୁବକଙ୍କ ପାଦ ଧୋଇଦେଲେ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତାଙ୍କ ଗୋଡ ଧୋଇଦେବା ସହ ଫୁଲମାଳ ପକାଇ, ସାଲ ଘୋଡାଇ ଦେଇଥିଲେ । ଆଜି ସେହି ଯୁବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କର ଜୋରଦାର ଚର୍ଚ୍ଚା କରାଯାଇଥିଲା ।

Advertisment

ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ମାଗିଥିଲେ । ଏହ ସହ ମୁଖ୍ୟମନ୍ତ୍ରୀ ପୀଡିତ ଯୁବକଙ୍କୁ ଗଣେଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉପହାର ସ୍ୱରୂପ ଦେଇଥିଲେ । ତାଙ୍କ ଘରେ କୌଣସି ଅସୁବିଧା ଅଛି କି ନାହିଁ ପଚାରି ବୁଝିଥିଲେ । ପୀଡ଼ିତ ଯୁବକଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ଟ୍ୱିଟ୍ କରି ଶିବରାଜ ସିଂହ କହିଛନ୍ତି, ଲୋକେ ତାଙ୍କ ପାଇଁ ଭଗବାନ । କାହା ସହ ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ ।

ସେପଟେ ଗିରଫ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କର ଡାକ୍ତରୀ ମାଇନା କରାଯାଇଛି । ପରିସ୍ରା କରିବା ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଉପରେ ଏନ୍ଏସ୍ଏ ଲାଗୁ ହୋଇଛି । କେବଳ ଏତିକି ନୁହଁ ପ୍ରବେଶଙ୍କ ଭୁଲର ପରିଣାମ ତାଙ୍କ ଘର ଲୋକ ଭୋଗିଛନ୍ତି । ପ୍ରଶାସନ ପକ୍ଷରୁ ବୁଲଡୋଜର ଚଳାଇ ପ୍ରବେଶଙ୍କ ଘର ଭଙ୍ଗାଯାଇଛି । ଜବରଦଖଲରେ ଥିବା ୪ ଶହ ବର୍ଗଫୁଟ ସ୍ଥାନରେ ଯେଉଁ ନିର୍ମାଣ ହୋଇଥିଲା ତାକୁ ଭାଙ୍ଗିଦିଆଯାଇଛି ।