ରତ୍ନଭଣ୍ଡାର ଖୋଲିବାକୁ ତେଜିଲା ଦାବି। ବିଜୟଙ୍କ ପ୍ରଶ୍ନ, ସରକାର ଖୋଲୁନାହାନ୍ତି କାହିଁକି?

131

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଦାବି କରିବା ପରେ ରାଜନୈତିକ ବୟାନବାଜି ଜୋର ଧରିଛି । ବରିଷ୍ଠ ନେତା ବିଜୟ ମହାପାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତିି, ଏହା ସରକାରୀ ସମ୍ପତ୍ତି କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି? ରତ୍ନଭଣ୍ଡାର ନେଇ ଆଇନମନ୍ତ୍ରୀଙ୍କ ବିବୃତ୍ତି ଆଶ୍ଚର୍ଯ୍ୟଜନକ । ଦାନ ସୁନା ଅଳଙ୍କାର କେଉଁଠି ଅଛି ? ଶୀଘ୍ର ସରକାର କମିଟି ଗଠନ କରି ଗଣନା କରନ୍ତୁ ଓ ଲୋକଙ୍କ ସନ୍ଦେହ ଦୂର କରନ୍ତୁ ବୋଲି କହିଛନ୍ତି ବିଜୟ ।

ରତ୍ନଭଣ୍ଡାର ଖୋଲିବା ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବି ସରକାରଙ୍କୁ ଘେରିଛନ୍ତି । ବିଜେପି କହିଛି, ରାଜ୍ୟ ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲୁନାହାନ୍ତି । କାରଣ ସେଠାରେ କିଛି ଭୁଲ ତ୍ରୁଟି, ଗଫଲତି କିମ୍ବା ଚୋରି ହୋଇଛି । ଆଉ ଏହାକୁ ଘଂଟା ଘୋଡାଇବାକୁ ଚାହୁଁଛନ୍ତି ସରକାର । କଂଗ୍ରେସ ବିଧାୟକ ତାରା ପ୍ରସାଦବାହିନୀ ପ୍ରଶ୍ନ କରିଛନ୍ତି, ରତ୍ନଭଣ୍ଡାର ସମ୍ପତ୍ତି ବାହାର ରାଜ୍ୟକୁ ଚାଲିଯାଇନି ତ? ସରକାର ରତ୍ନଭଣ୍ଡାର ଖୋଲିବାକୁ ତୁରନ୍ତ ନିଷ୍ପତି ନିଅନ୍ତୁ । ବିରୋଧୀଙ୍କ ପ୍ରତିକ୍ରିୟାର ଜବାବ ରଖିଛି ବିଜେଡି । ବିଧାୟକ ଧ୍ରୁବ ସାହୁ କହିଛନ୍ତି, ରତ୍ନଭଣ୍ଡାର ନେଇ ନିଷ୍ପତ୍ତି ଠିକଣା ସମୟରେ ନେବେ ମୁଖ୍ୟମନ୍ତ୍ରୀ ।

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ହୋଇ ରହିଛି । ତେଣୁ ଏ ନେଇ ଶୀଘ୍ର ନିଷ୍ପତି ନେବାକୁ ବିରୋଧୀ ସରକାରଙ୍କ ଚାପ ବଢାଉଛନ୍ତି ।