କନକ ବ୍ୟୁରୋ : ତାମିଲନାଡୁ ନିବାସୀ ଅଧିକାରୀଙ୍କ ଉପରେ ରହିଛି ସରକାରଙ୍କ ଅଶେଷ ପ୍ରୀତି । ଜି ମାଥିଭାଥନନ, ୧୯୯୪ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ । ୨୦୧୪ ଅଗଷ୍ଟରେ ନଗର ଉନ୍ନୟନ ସଚିବ ଭାବେ ମିଳିଥିଲା ନିଯୁକ୍ତି । ୯ ବର୍ଷ ହେଲା ନଗର ଉନ୍ନୟନ ବିଭାଗରୁ ଆଉ ହଲୁନାହାନ୍ତି ଏହି ସରକାରୀ ବାବୁ । ଏ ନେଇ ବିରୋଧୀ ଅଭିଯୋଗ କରିଥିଲେ ବି ଏତେ ବର୍ଷ ଧରି କାହିଁକି ଗୋଟିଏ ପଦରେ ସଚିବ ରହିଛନ୍ତି, ଏହାର ଉତର ସରକାରଙ୍କ ପାଖରେ ନାହିଁ । ଦୀର୍ଘ ବର୍ଷ ଧରି ନଗର ଉନ୍ନୟନ ବିଭାଗ ସମ୍ଭାଳିଥିଲେ ବି ତାଙ୍କର କାର୍ଯ୍ୟ ଦକ୍ଷତା ସେପରି ପ୍ରତିଫଳିତ ହୋଇନାହିଁ । ଅସରାଏ ବର୍ଷାରେ ଟୁଇନ୍ ସିଟିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ତାର ବଡ଼ ଉଦାହରଣ । ତେଣୁ ପ୍ରଶ୍ନ ଉଠୁଛି
ମାଧିଭାଥନନଙ୍କ ପ୍ରତି ସରକାରଙ୍କ କାହିଁକି ଏତେ ଅନୁକମ୍ପା?
ତାଙ୍କ ଦ୍ୱାରା କାହାକୁ ମିଳୁଛି ଫାଇଦା?
କାହିଁକି ତାଙ୍କ ପାଇଁ ପ୍ରଚଳିତ ବ୍ୟବସ୍ଥାକୁ ପାଦରେ ଦଳି ଦିଆଯାଉଛି?

Advertisment

ଏହାରି ଭିତରେ ନଗର ଉନ୍ନୟନ ବିଭାଗରେ ୪ ଜଣ କ୍ୟାବିନେଟ୍ ମନ୍ତ୍ରୀ ବଦଳି ହୋଇସାରିଲାଣି, କିନ୍ତୁ ଆସ୍ଥାନ ମାଡି ବସିଛନ୍ତି ଜି ମାଥିଭାଥନନ୍ । ଏପଟେ ଚର୍ଚ୍ଚା ହେଉଛି, ଗୋଟିଏ ପଦବୀରେ ୯ ବର୍ଷ ରହିବାର ଅର୍ଥ – ତୃତୀୟ ମହଲାର ସେ ଅତି ଘନିଷ୍ଠ କିମ୍ବା ଫାଇଭ୍-ଟି ସଚିବଙ୍କ ଗୁଡବୁକରେ ରହିଛନ୍ତି ।

ଜଣେ ଅଫିସର ଗୋଟିଏ ପଦବିରେ ଏତେ ବର୍ଷ ଧରି କାମ କରିବା ପାଇଁ ମାପକାଠି କ’ଣ? ଏ ନେଇ କାହା ପାଖରେ କିଛି ଉତର ନାହିଁ । ଶାସକ ଦଳର ବିଧାୟକ ମଧ୍ୟ ଏ ସଂପର୍କରେ କିଛି ସ୍ପଷ୍ଟ କରିପାରୁନାହାନ୍ତି ।

ବାବୁମାନେ ଖାଲି ବର୍ଷବର୍ଷ ଧରି ଗୋଟିଏ ବିଭାଗରେ ଅଛନ୍ତି ତାହା ନୁହେଁ, ଅନେକ ଅଧିକାରୀଙ୍କ ପାଖରେ ଏକାଧିକ ବିଭାଗର ଦାୟିତ୍ୱ ମଧ୍ୟ ରହିଛି । ଏ ନେଇ ବିରୋଧୀ ବାରମ୍ବାର ଅଭିଯୋଗ କରୁଥିଲେ ବି ଏହାକୁ ଖାତିର କରୁନାହାନ୍ତି ସରକାର ।