୧୪ ବର୍ଷରେ ବିବାହ ୧୮ରେ ପିଲା, ତଥାବି ମାନିନାହାନ୍ତି ହାର । ଦୃଢ ଇଛାଶକ୍ତି ବଳରେ ଅମ୍ବିକା ହୋଇପାରିଛନ୍ତି ଆଇପିଏସ୍

152

କନକ ବ୍ୟୁରୋ : କଥାରେ ଅଛି, ଦୃଢ ଇଛାଶକ୍ତି, କିଛି କରିଦେଖାଇବାର ଭାବନା ଏବଂ କଠିନ ପରିଶ୍ରମ କେବେବି ବୃଥା ଯାଏନି । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଏନ ଅମ୍ବିକା । ସାମ୍ନାରେ ସଂସାର ଜଞ୍ଜାଳ, ଅନେକ ସୁବିଧା ଅସୁବିଧାକୁ ଟାଳି ଆଇପିଏସ୍ ହେବାରେ ସଫଳ ହୋଇଛନ୍ତି । ଟ୍ରେନିଂ ପୂରା କରିବା ପରେ ମହାରାଷ୍ଟ୍ରରେ ପୋଷ୍ଟିଂ ମିଳିଥିଲା ଏବେ ମୁମ୍ବାଇର ଲେଡି ସିଂଘମ୍ ଭାବେ ସେ ପରିଚିତ ।
ତାମିଲନାଡୁର ଏନ୍ ଅମ୍ବିକା । ମାତ୍ର ୧୪ବର୍ଷ ବୟସରେ ଜଣେ ପୋଲିସ କନଷ୍ଟେବଳଙ୍କ ସହ ତାଙ୍କର ବିବାହ କରିଦିଆଗଲା । ୧୮ବର୍ଷ ଛୁଇଁଲା ବେଳକୁ ସେ ଦୁଇଟି ପିଲାର ମାଆ ମଧ୍ୟ ବନିଯାଇଥିଲେ । କେବେ ଭାବିନଥିଲେ ସେ ଆଇପିଏସ୍ ହେବେ ବୋଲି । କିନ୍ତୁ ସମୟ ସବୁକିଛି ବଦଳାଇ ଦିଏ, ଦିନେ ଅମ୍ବିକା ତାଙ୍କ ସ୍ୱାମୀଙ୍କ ସହ ଗଣତନ୍ତ୍ର ଦିବସରେ ପୋଲିସ ପରେଡ୍ ଦେଖିବାକୁ ଯାଇଥିଲେ । ସେଠାରେ ଦେଖିଲେ, ତାଙ୍କ ସ୍ୱାମୀ ଅନ୍ୟ ବଡ ଅଫିସରଙ୍କୁ ସାଲ୍ୟୁଟ୍ କରୁଥିବାର । ସେହି ମୁହୁର୍ତ୍ତକୁ ଦେଖି ଅମ୍ବିକା ସ୍ଥିର କରିନେଲେ ସେ’ବି ଆଇପିଏସ୍ ଅଫିସର ବନିବେ । ଆଉ ଏହି ସମ୍ମାନର ଅଧିକାର ହେବେ ।
ପରେଡରୁ ଫେରିବା ପରେ ଅମ୍ବିକା ଆଇପିଏସ୍ ହେବା କଥା ତାଙ୍କ ସ୍ୱାମୀଙ୍କୁ କହିଥିଲେ । ତାଙ୍କ ସ୍ୱାମୀ କହିଲେ ଆଇପିଏସ୍ ହେବା ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ ଏବଂ ଏକାଗ୍ରତା ନିହାତି ଆବଶ୍ୟକ । ସ୍ୱାମୀଙ୍କଠୁ ୟୁପିଏସସିର ସମସ୍ତ ତଥ୍ୟ ନେବା ପରେ ଆଇପିଏସ୍ ହେବା ପାଇଁ ନିସ୍ପତ୍ତି ନେଲେ ଅମ୍ବିକା । ଆଉ ଅଧାରେ ଛାଡିଥିବା ପାଠକୁ ପୁଣିଥରେ ଆରମ୍ଭ କରିଦେଲେ । ସର୍ବପ୍ରଥମେ ସେ ଦଶମ ପରୀକ୍ଷା ପସ୍ କଲେ ପରେ ଦ୍ୱାଦଶ ଏବଂ ଡିଷ୍ଟାନ୍ସରେ ଯୁକ୍ତ ୩ରେ ଉତିର୍ଣ୍ଣ ହୋଇଥିଲେ । ଯୁକ୍ତ ୩ ପାସ୍ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ ।
ଏନ ଅମ୍ବିକା ତାଙ୍କ ପରିବାରଙ୍କ ସହ ଏକ ଛୋଟିଆ ଘରେ ରହୁଥିଲେ । ପରିବାର ସମ୍ବାଳିବା ସହ ପାଠ ପଢିବା ସମ୍ଭବ ହେଉନଥିଲା । ଯହାକୁ ନେଇ ତାଙ୍କ ସ୍ୱାମୀ ଅମ୍ବିକାଙ୍କୁ ପାଠ ପଢିବା ପାଇଁ ଚେନ୍ନାଇ ପଠାଇଦେଲେ । ଆଉ ନିଜେ ଚାକିରି କରିବା ସହ ପିଲାଙ୍କ ଦେଖାଶୁଣା ମଧ୍ୟ କଲେ । ସ୍ୱାମୀଙ୍କ ସପୋର୍ଟ ପାଇ ଚେନ୍ନାଇରେ ରହି ଅମ୍ବିକା ୟୁପିଏସସି ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଚାଲିଲେ । କିନ୍ତୁ ତାଙ୍କୁ ଲଗାତାର ୩ଥର ପରୀକ୍ଷାରେ ବିଫଳ ହେବାକୁ ପଡିଥିଲା । ୟୁପିଏସସିରେ ୩ଥର ବିଫଳ ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ଫେରିଆସିବା ପାଇଁ କହିଥିଲେ କିନ୍ତୁ ଅମ୍ବିକା ସ୍ୱାମୀଙ୍କୁ ଶେଷ ସୁଯୋଗ ମାଗିଥିଲେ । ଶେଷ ସୁଯୋଗ ନେଇ କଠିନ ପରିଶ୍ରମ କରିବାରେ ଲାଗିପଡିଲେ ଅମ୍ବିକା । ଶେଷରେ ୨୦୦୮ରେ ୟୁପିଏସସି ପରୀକ୍ଷାରେ ଉତିର୍ଣ୍ଣ ହୋଇଥିଲେ । ଏହାସହିତ ତାଙ୍କ ଆଇପିଏସ୍ ହେବାର ସ୍ୱପ୍ନ ପୂରା ହୋଇଥିଲା ।