କନକ ବ୍ୟୁରୋ: ପ୍ରତ୍ୟେକ ବର୍ଷ ୟୁପିଏସସି ପରୀକ୍ଷାରୁ ଏମିତି କିଛି କାହାଣୀ ସାମ୍ନାକୁ ଆସିଥାଏ ଯାହା ହୃଦୟକୁ ଛୁଇଁଥାଏ । କେଉଁଭଳି କଷ୍ଟ ସମୟକୁ ମାତ ଦେଇ ଏମାନେ ସଫଳତା ପାଇଛନ୍ତି ତାହା ଜାଣିବାକୁ ମିଳିଥାଏ । ଏଭଳି ଏକ କାହାଣୀ ହେଉଛି ଆଇଏଏସ ଶ୍ରୀଧନ୍ୟା ସୁରେଶଙ୍କର । ସେ ସମସ୍ତଙ୍କ ଆଗରେ ନିଜକୁ ସଫଳ କରିଦେଖାଇଛନ୍ତି । ନିଜେ କଠିନ ପରିସ୍ଥିତିର ସାମ୍ନା କରି ବିଜୟର ମିଠା ଅନୁଭୂତି ପାଇଛନ୍ତି ।
ଶ୍ରୀଧନ୍ୟାଙ୍କ ପରିବାର ଆର୍ଥିକ ଭାବେ ଅନଗ୍ରସର ଥିଲେ । ତାଙ୍କ ବାପା ମନରେଗାର ଶ୍ରମିକ ଭାବେ କାମକରିବା ସହ ଅନ୍ୟ ସମୟରେ ଧନୁ ତୀର ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ । କେବଳ ଏତିକି ନୁହେଁ ସରକାରଙ୍କ ପାଖରୁ ଘର କରିବା ପାଇଁ ଜମି ମିଳିଥିଲେ ସୁଦ୍ଧା ଘର ତିଆରି କରିପାରୁନଥିଲେ ତାଙ୍କ ପରିବାର । ଏଭଳି ବିଷମ ପରିସ୍ଥିତିରେ ଶ୍ରୀଧନ୍ୟା ୨୦୧୮ ମସିହାରେ ୟୁପିଏସସି ପରୀକ୍ଷାରେ ସଫଳତା ପାଇଥିଲେ । ସର୍ବାଭାରତୀୟସ୍ତରରେ ସେ ୪୧୦ ତମ ସ୍ଥାନ ଅଧିକାର କରିଥିଲେ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସେ କେରଳର ପ୍ରଥମ ଆଦିବାସୀ ମହିଳା । ତେବେ ଏହି ପରୀକ୍ଷା ଦେବା ଆଗରୁ ସେ ଏସିଏସଟି ବିଭାଗରେ କିରାଣୀ ଭାବେ କାମ କରୁଥିଲେ । ପରେ ୱାଇନାଡରେ ଏକ ଆଦିବାସୀ ହଷ୍ଟେଲରେ ୱାଡେନ ଭାବେ କାମ କରି ୟୁପିଏସସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
୨୦୧୬ ଏବଂ ୨୦୧୭ରେ ଏହି ପରୀକ୍ଷା ଦେଇ ବିଫଳ ହୋଇଥିଲେ । କିନ୍ତୁ, ବିଫଳତାକୁ ପଛରେ ପକାଇ ନିଜର ପରିଶ୍ରମ ବଳରେ ସେ ୨୦୧୮ରେ ଏହି ପରୀକ୍ଷାରେ ସଫଳତା ହାସଲ କରିଥିଲେ । ନିଜ ପରିବାର ତଥା ସମାଜର ନାଁକୁ ସେ ଗର୍ବର ଉଚା କରିଥିଲେ । ଯେତେବେଳେ ତୃତୀୟ ପ୍ରୟାସରେ ସେ ସାକ୍ଷାତକାର ପାଇଁ ଚୟନ ହୋଇଥିଲେ ତାଙ୍କ ପାଖରେ ଦିଲ୍ଲୀ ଆସିବା ପାଇଁ ଟଙ୍କା ନଥିଲା । ନିଜ ସାଙ୍ଗ ପାଖରୁ ସେ ଧାର କରି ଦିଲ୍ଲୀ ଆସିଥିଲେ ଇଣ୍ଟରଭ୍ୟୁ ଦେବା ପାଇଁ ।
ଏକ ସାକ୍ଷାତକାରରେ ଶ୍ରୀଧନ୍ୟା କହିଥିଲେ ଯେ ନିଜ ରାଜ୍ୟର ସବୁଠାରୁ ପଛୁଆ ଜିଲ୍ଲାରୁ ସେ ଆସନ୍ତି । ଏଠାରେ କେହି ଆଦିବାସୀ ଆଜି ଯାଏ ଆଇଏଏସ ହୋଇନାହାନ୍ତି । ସେ ଚାହୁଁଛନ୍ତି ଯେ ଆଗାମୀ ପିଢିଙ୍କ ସମସ୍ୟା ଦୂର କରି ତାଙ୍କ ପାଇଁ ପ୍ରେରଣା ହୋଇପାରିବେ ।
Follow Us