ବଜେଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆଇଇଏସ ଅଫିସରଙ୍କୁ କେଉଁ ଆଧାରରେ ମିଳିଥାଏ ନିଯୁକ୍ତି । କ’ଣ ରହିଥାଏ ବୟସ ସୀମା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

186

କନକ ବ୍ୟୁରୋ : ଆଜି ସଂସଦରେ ୨୦୨୪ ପାଇଁ କାମ ଚଳା ବଜେଟ ଉପସ୍ଥାପନ ହୋଇଛି । ଏହାକୁ ଉପସ୍ଥାପନ କରିଛନ୍ତି କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଭାରତୀୟ ପ୍ରଶାସନିକ ସେବା ତରଫରୁ ଇଣ୍ଡିଆନ ଇକୋନୋମିକ୍ସ ସର୍ଭିସ ଓ ଇଣ୍ଡିଆନ ଷ୍ଟାଟିଷ୍ଟିକ୍ସ୍ ସର୍ଭିସ ନାମକ ଦୁଇଟି ପଦବୀ ରହିଛି । ବଜେଟ ପ୍ରସ୍ତୁତି ଠାରୁ ଆରମ୍ଭ କରି ଉପସ୍ଥାପନା ଯାଏଁ ଏହି ଆଇଇଏସ ଓ ଆଇଏସଏସ ଅଧୀକାରି ମାନଙ୍କର ସର୍ବାଧିକ ଯୋଗଦାନ ରହିଥାଏ ।
ହେଲେ ଜାଣିବା ଏହି ପଦବୀ ପାଇଁ ୟୁପିଏସସି କିପରି ପ୍ରାର୍ଥୀ ଚୟନ କରିଥାଏ ।

ଏଥି ପାଇଁ କିଛି ବାଧ୍ୟତାମୂଳକ ମାନଦଣ୍ଡ ରହିଛି । ଆଇଇଏସ କିମ୍ବା ଆଇଏସଏସ ହେବାକୁ ହେଲେ ସର୍ବ ଭାରତୀୟ ପ୍ରଶାସନିକ ସେବା ପରିଚାଳିତ ପରୀକ୍ଷା ଦେବାକୁ ହୁଏ । ପ୍ରାର୍ଥୀଙ୍କ ବୟସ ସୀମା ୨୧ ରୁ ୩୦ ଭିତରେ ରହିବା ଆବଶ୍ୟକ । ଅଗଷ୍ଟ ମାସ ସୁଦ୍ଧା ପରୀକ୍ଷାର୍ଥୀ  ୨୧ ବୟସର ହେବାକୁ ପଡିବ , ତେବେ ଯାଇ ସେ ପରୀକ୍ଷା ପାଇଁ ଯୋଗ୍ୟ ହେବେ । ଅନୁସୂଚିତ ବର୍ଗ ପାଇଁ ବୟସ ସୀମା ୫ ବର୍ଷ ଛାଡ କରା ଯାଇଥିବା ବେଳେ ଶାରୀରିକ ଅକ୍ଷମ ବ୍ୟକ୍ତି ବିଶେଷଙ୍କ ପାଇଁ ବୟସ ସୀମା ୧୦ ବର୍ଷ ଯାଏଁ ଛାଡ ରହିଛି ।

ପରୀକ୍ଷାର୍ଥୀ ଆଇଇଏସ ପଦବୀ ପାଇଁ ଇକୋନୋମିକ୍ସ. ଆପ୍ଲାଏଡ ଇକୋନୋମିକ୍ସ କିମ୍ବା ବିଜନେସ ବିଷୟରେ ସ୍ନାତକ ତଥା ସ୍ନାତକୋତ୍ତର ଡିଗ୍ରୀ ରହିବା ଆବଶ୍ୟକ । ଏହି ଡିଗ୍ରୀ କୌଣସି ଭାରତ ସରକାରଙ୍କ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା କେନ୍ଦ୍ର ସରକାରଙ୍କ ଅନୁମୋଦିତ ବିଦେଶୀ ବିଶ୍ୱବିଦ୍ୟାଳୟରୁ ମିଳିବା ନିହାତି ଜରୁରୀ ।
ଠିକ୍ ସେପରି ଆଇଏସଏସ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଗଣିତ, ପରିସଂଖ୍ୟାନ ବିଷୟରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ନେବା ଆବଶ୍ୟକ ।

ସାଧାରଣ ବର୍ଗର ପ୍ରାର୍ଥୀ ପାଇଁ ୬ ଥର ପରୀକ୍ଷା ଦେବା ସୁଯୋଗ ରହିଛି । ଓବିସି ବର୍ଗ ପାଇଁ ୯ ଥର ଥିବା ବେଳେ ଅନୁସୂଚିତ ବର୍ଗ ଅଗଣିତ ଥର ପାଇଁ ପରୀକ୍ଷା ଦେବାର ସୁଯୋଗ ରହିଛି ।