କନକ ବ୍ୟୁରୋ: ଦିନକୁ ଦିନ ବଢିବାରେ ଲାଗିଛି ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ଅଡୁଆ । ବିବାଦରେ ଫସିବା ପରେ ଏବେ ୟୁପିଏସସି ଏବେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି । ଏଥିସହ ସିଭିଲ୍ ସର୍ଭିସ୍ ପରୀକ୍ଷାରୁ ତାଙ୍କୁ କାହିଁକି ରଦ୍ଦ କରାଯିବନି ସେନେଇ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଆଇଏଏସ୍ ଅଧିକାରୀ ପୂଜାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି । ଜାଲ କାଗଜପତ୍ର, ଧୋକା, ଆଇଟି ଆକ୍ଟ ଏବଂ ଦିବ୍ୟାଙ୍ଗତା ଅଧିନିୟମ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେଇଛି ।
ଅନ୍ୟପଟେ ୟୁପିଏସସି ନୋଟିସ୍ ଜାରି କରି ପୂଜା ଖେଡକରଙ୍କଠାରୁ ଜବାବ ମାଗିଛି । ତାଙ୍କ ପ୍ରାର୍ଥିତ୍ୱକୁ କାହିଁକି ରଦ୍ଦ କରାଯିବନି ସେନେଇ ଉତ୍ତର ରଖିବାକୁ କୁହାଯାଇଛି । ୟୁପିଏସସି ତରଫରୁ କୁହାଯାଇଛି ଯେ, ପୂଜା ଖେଡକରଙ୍କ ବିରୋଧରେ ବିସ୍ତୃତ ଯାଞ୍ଚ କରାଯାଇଛି । ଯେଉଁଥିରେ ଜଣାପଡିଛି ଯେ, ସେ ସିଭିଲି ସର୍ଭିସ୍ ପରୀକ୍ଷା ୨୦୨୨ରେ ନିୟମର ଉଲ୍ଲଙ୍ଘନ କରିଛନ୍ତି । ଜାଲ କାଗଜପତ୍ର ସାହାଯ୍ୟରେ ସେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଛନ୍ତି । ଏମିତି କି ସେ ତାଙ୍କ ନାମ, ବାପାଙ୍କ ନାମ, ମାଆଙ୍କ ନାମ, ଫଟୋ ଏବଂ ଦସ୍ତଖତ ମଧ୍ୟ ବଦଳେଇ ଦେଇଛନ୍ତି । ମିଛ ପରିଚୟ ଦେଇ ସେ ଅଧିକ ଥର ପରୀକ୍ଷାରେ ବସିଛନ୍ତି ବୋଲି ୟୁପିଏସସି ତରଫରୁ କୁହାଯାଇଛି ।
ଏହାପୂର୍ବରୁ ତାଙ୍କ ଟ୍ରେନିଂ ପୋଗ୍ରାମକୁ ମଧ୍ୟ ରଦ୍ଦ କରିଦିଆଯାଇଥିଲା । ତୁରନ୍ତ ତାଙ୍କୁ ଟ୍ରେନିଂ ପୋଗ୍ରାମ ରଦ୍ଦ କରି ଏକାଡେମୀରେ ଯୋଗ ଦେବାକୁ ଚିଠି ଲେଖିଥିଲା ୟୁପିଏସସି । ଏହାସହ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ଏକାଡେମୀ ଏ ସମ୍ପର୍କରେ ଚିଠି ଲେଖି ସୂଚନା ଦେଇଥିଲା ।