ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର । ଦ୍ୱିତୀୟରେ ଓଡ଼ିଶାର ଅନିମେଶ ପ୍ରଧାନ ଓ ତୃତୀୟରେ ଡି. ଅନନ୍ୟା ରେଡ୍ଡି

1,371

କନକ ବ୍ୟୁରୋ: ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ୟୁପିର ଆଦିତ୍ୟ ଶ୍ରୀବାସ୍ତବ ଏଥିରେ ଟପ୍ପର ହୋଇଛନ୍ତି । ଅନ୍ୟପଟେ ଓଡିଶାରୁ ଅନିମେଶ ପ୍ରଧାନ ସାରା ଦେଶରେ ଦ୍ୱିତୀୟ ହୋଇଛନ୍ତି । ତେବେ ଅନିମେଶଙ୍କ ଏହି ସଫଳତା ପଛରେ ଲୁଚି ରହିଛି ଏକ ଯନ୍ତ୍ରଣାଦାୟକ କାହାଣୀ । ଅନିମେଶଙ୍କ ଛଡା ରାଜ୍ୟର ପ୍ରଜ୍ଞାନନ୍ଦନ ଗିରି ଏବଂ ଆୟୁଷି ପ୍ରଧାନ ଯଥାକ୍ରମେ ୨୪ ଏବଂ ୩୬ ରାଙ୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି ।

କୁହାଯାଏ ପ୍ରତି ସଫଳତା ପଛରେ ସଂଘର୍ଷ ଥାଏ ଆଉ ପ୍ରତି ସଂଘର୍ଷ ପଛରେ ଗୋଟିଏ ଲେଖାଏଁ କାହାଣୀ ଥାଏ । ଆଜି ସମସ୍ତେ ଅନିମେଶଙ୍କ ସଫଳତା ଦେଖୁଛନ୍ତି ସତ । କିନ୍ତୁ ଏହା ପଛରେ ଲୁଚି ରହିଛି ଏକ ଯନ୍ତ୍ରଣାଦାୟକ କାହାଣୀ । ଆଇଏଏସ୍ ହେବା ପାଇଁ ଯେତେବେଳେ ଅହରହ ପରିଶ୍ରମ କରୁଥିଲେ ଅନିମେଶ, କ୍ୟାନ୍ସର ରୋଗରେ ପୀଡ଼ିତ ମା’ ଶଯ୍ୟାରେ ଛଟପଟ ହେଉଥିଲେ । ପୁଅକୁ ଆଇଏଏସ୍ ଭାବେ ଦେଖିବା ପାଇଁ ମା’ କେତେ ପ୍ରାର୍ଥନା କରିଥିଲେ । ଆଜି ଫଳାଫଳ ଆସିଛି, ହେଲେ ପୁଅର ଖୁସି ଦେଖିବା ପାଇଁ ମା’ ନାହାଁନ୍ତି । କିଛି ବର୍ଷ ଆଗରୁ ବାପା ଚାଲି ଯାଇଥିଲେ । ଆଉ ଦୁଃଯୋଗ ଦେଖନ୍ତୁ ଗତମାସରେ ମା ଚାଲିିଯାଇଥିଲେ ।

ଅନିମେଶଙ୍କ ବ୍ୟତୀତ ଓଡ଼ିଶାର ପ୍ରଜ୍ଞାନନ୍ଦନ ଗିରି ଏବଂ ଆୟୁଷି ପ୍ରଧାନ ଯଥାକ୍ରମେ ୨୪ ଏବଂ ୩୬ ରାଙ୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଅଭିମନ୍ୟୁ ମଲ୍ଲିକ ୬୦ ରାଙ୍କ୍, ଜୟଶ୍ରୀ ପ୍ରଧାନ ୫୨ ତମ ରାଙ୍କ୍, ଅମୃତାଂଶୁ ନାୟକ ୧୧୦ ରାଙ୍କରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଓଡ଼ିଶାର ଶୁଭ୍ରା ପଣ୍ଡା, ରଶ୍ମୀ ପ୍ରଧାନ, ବିଶ୍ୱଜିତ ପଣ୍ଡା ଏବଂ ସୌଭାଗ୍ୟ ଦାସ ଯଥାକ୍ରମେ ୨୦୪, ୩୧୯, ୩୪୩ ଏବଂ ୪୬୬ ରାଙ୍କ୍ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସାରା ଦେଶରେ ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ ।

ସୂଚନା ଅନୁସାରେ ପରୀକ୍ଷାରେ ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିମଧ୍ୟରୁ ଆଇଏଏସ ୧୮୦ ଜଣ, ଆଇଏଫଏସ ୩୭ ଜଣ ଓ ଆଇପିଏସ ୨୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି ।