ଲୋକସଭାରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ମନ୍ତବ୍ୟକୁ ନେଇ ହଟ୍ଟଗୋଳ । ମୋଦୀ କହିଲେ, ହିନ୍ଦୁ ସମାଜକୁ ଅପମାନିତ କରିଛନ୍ତି ରାହୁଲ  ।

185

କନକ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଝଡ । ଦେବତା, ଧର୍ମଗୁରୁଙ୍କ ଫଟୋ ଧରି ଉଠାଇଲେ ହିନ୍ଦୁତ୍ୱ ପ୍ରସଙ୍ଗ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ବିରୋଧୀ ଦଳ ନେତା ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାରେ ଅଭିଭାଷଣ ରଖିଛନ୍ତି । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ନିଜ ଅଭିଭାଷଣ ସମୟରେ ରାହୁଲ ଗାନ୍ଧୀ ଭଗବାନ ମହାଦେବଙ୍କ ଫଟୋ ଦେଖାଇଥିଲେ । ଏହାପରେ ସଙ୍ଗେସଙ୍ଗେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଅଟକାଇଥିଲେ । ବାଚସ୍ପତି କହିଛନ୍ତି ଯେ ଗୃହରେ ଶିବଙ୍କ ଫଟୋ ଦେଖାଇପାରିବେ ନାହିଁ । ଏହାକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା ।

ରାହୁଲ ଗାନ୍ଧୀଙ୍କ ହିନ୍ଦୁ ମନ୍ତବ୍ୟକୁ ଗୃହରେ ବିରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ନିଜ ଆସନରେ ଛିଡା ହୋଇ ରାହୁଲଙ୍କ ହିନ୍ଦୁ ସମାଜକୁ ନେଇ ମନ୍ତବ୍ୟକୁ ବିରୋଧ କରିଥିଲେ । ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗମ୍ଭୀର ପ୍ରସଙ୍ଗ ବୋଲି ମୋଦୀ କହିଛନ୍ତି । ଅନ୍ୟପଟେ ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ ।