ବାପା ପାନ ଦୋକାନୀ…ହେଲେ ଝିଅ ହେଲା ଜଜ୍ ସାହେବାଣୀ । ଚର୍ଚ୍ଚାରେ ନିଶୀ ଗୁପ୍ତା ।

219

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲୋକସେବା ଆୟୋଗର ପିସିଏସ୍-ଜେ ୨୦୨୨ ପରୀକ୍ଷାରେ ଟପ୍ କରିଛନ୍ତି ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ନିଶୀ ଗୁପ୍ତା । କଷ୍ଟ କରି ପାଠ ପଢାଇଥିବା ବାପାଙ୍କ ମାନ ରଖିଛନ୍ତି ନିଶୀ । ତାଙ୍କର ସଫଳତାକୁ ନେଇ ପୁରା ଅଞ୍ଚଳରେ ଖୁସିର ମାହୋଲ । ନିଶୀଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରେ ସାହିପଡିଶାଙ୍କ ଭିଡ ।

ଉତ୍ତରପ୍ରଦେଶ ଜୁଡିସିଆଲ ସର୍ଭିସ୍ ଏକଜାମରେ ଟପ୍ପର ହୋଇଥିବା ନିଶୀ ଗୁପ୍ତାଙ୍କୁ ନେଇ ଏବେ ଚର୍ଚ୍ଚା । କାରଣ ସେ ପରୀକ୍ଷାରେ ଟପ୍ କରିଛନ୍ତି କେବଳ ଏହି କାରଣ ପାଇଁ ନୁହେଁ ବରଂ ତାଙ୍କ ପରିବାରର ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ତାଙ୍କର ସଫଳତାକୁ ନେଇ । ନିଶୀଙ୍କ ବାପା ଜଣେ ପାନ ଦୋକାନୀ । କାନପୁରରେ ପାନ ଦୋକାନଟିଏ ପରିବାର ଚଳାନ୍ତି । ସେଥିରୁ ଯାହା ରୋଜଗାର ହୁଏ ସେଥିରେ ୫ପ୍ରାଣୀ କୁଟୁମ୍ବ ଚଳେ । ନିଜେ ଯୁକ୍ତ ଦୁଇ ଯାଏଁ ପଢିଥିବା ନିରଙ୍କାର ଗୁପ୍ତାଙ୍କର ସ୍ୱଳ୍ପ ରୋଜଗାର ହେଲେ ବି ପାଠପଢାର ମୂଲ୍ୟ କିନ୍ତୁ ସେ ଢେର ବୁଝିଛନ୍ତି । ସେଥିପାଇଁ ନିଜ ପେଟ ମାରି ୩ ପିଲାଙ୍କୁ ଭଲ ସ୍କୁଲରେ ପଢାଇବା ସହ ସେମାନଙ୍କୁ ଭଲ ଶିକ୍ଷା ଦେବାକୁ ସବୁବେଳେ ଚେଷ୍ଟା କରିଛନ୍ତି । ଯାହାର ପରିଣାମ ଝିଅ ନିଶୀ ଗୁପ୍ତାଙ୍କ ସଫଳତା ।

ମା’ ଜଣେ ଗୃହିଣୀ ହୋଇଥିଲେ ବି ପିଲାଙ୍କ ପାଠପଢା ପ୍ରତି ସେ ବି ଢେର ସଚେତନ । ନିଶୀ ପିଲାବେଳୁ ପାଠରେ ଆଗୁଆ ଥିଲେ । ସବୁବେଳେ ଓକିଲ ହେବେ ବୋଲି କହୁଥିଲେ । କାନପୁର ଫାତିମା କନଭେଣ୍ଟ ସ୍କୁଲରେ ତାଙ୍କର ସ୍କୁଲିଙ୍ଗ ସରିବା ପରେ ଦ୍ୱାଦଶ ପରେ ୨୦୨୦ରେ ସେ ଅହ୍ଲାବାଦ୍ ୟୁନିଭର୍ସଟିରେ ଏଲଏଲବି କଲେ ଏବଂ ୨୦୨୨ରେ ଏଲଏଲଏମ୍ କଲେ । ଏହାପରେ ଜୁଡିସିଆଲ ସର୍ଭିସ୍ ଏକଜାମ ପାଇଁ ପ୍ରୟାଗରାଜରେ କୋଚିଙ୍ଗ ନେଲେ ଏବଂ ୨୦୨୨ରେ ଉତ୍ତରପ୍ରଦେଶ ଜୁଡିସିଆଲ ସର୍ଭିସ୍ ବା ପିସିଏସ-ଜେ ପରୀକ୍ଷାରେ ବସିଲେ ।

ପ୍ରଥମ ଚେଷ୍ଟାରେ ହିଁ ପିସିଏସ-ଜେ ପରୀକ୍ଷାରେ ଟପ୍ କଲେ ନିଶୀ । ଏହି ପରୀକ୍ଷାରେ ଟପ୍ ଟ୍ୱେଣ୍ଟିରେ ୨୦ ଜଣଙ୍କ ମଧ୍ୟରୁ ୧୫ଜଣ ଝିଅ ଅଛନ୍ତି । ତେବେ ନିଶୀଙ୍କ ସଫଳତା ପଛରେ ବାପା ନିରଙ୍କାର ଗୁପ୍ତାଙ୍କ ତ୍ୟାଗ ବାସ୍ତବରେ ସମାଜକୁ ଏକ ବାର୍ତ୍ତା ଦେଉଛି । କେବଳ ନିଶୀଙ୍କ ସଫଳତା ନୁହେଁ ପୁଅକୁ ବି ମଣିଷ କରିଛନ୍ତି ନିରଙ୍କାର ।

ନିଶୀଙ୍କ ସାନ ଭାଇ ଜଣେ ଇଞ୍ଜିନିଅର । ଆଇଆଇଟି ପାଇଁ ପିଲାମାନେ ବର୍ଷ ବର୍ଷ କୋଚିଙ୍ଗ ନେଇ ବିଫଳ ହୋଇଯାଉଥିବାବେଳେ ନିଶୀଙ୍କ ଭାଇ କିନ୍ତୁ ବିନା କୋଚିଙ୍ଗରେ କଠିନ ପରିଶ୍ରମ କରି ଆଇଆଇଟିରେ ଆଡମିସନ୍ ପାଇଥିଲେ । ଏବେ ସେ ଏକ ନାମୀ ସଂସ୍ଥାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ସତରେ ବାପା, ମା’ଙ୍କ ତ୍ୟାଗ ଓ ନିଶୀ ପରି ଝିଅର କଠିନ ପରିଶ୍ରମ ପ୍ରତି ଯୁବକ ଯୁବତୀଙ୍କ ପାଇଁ ବଳିଷ୍ଠ ଉଦାହରଣ ନିଶ୍ଚୟ ।