ନୀତିଶଙ୍କ ପରେ ଲାଲୁଙ୍କୁ ଟାର୍ଗେଟ କଲେ ଉପେନ୍ଦ୍ର କୁଶୱାହା । କହିଲେ, ୩୫ ବର୍ଷ ଶାସନରେ ପଛୁଆ ବର୍ଗଙ୍କ ହକକୁ ମାରିଦିଆଯାଇଛି ।

142

କନକ ବ୍ୟୁରୋ: ବିହାରରେ ଉପେନ୍ଦ୍ର କୁଶୱାହା ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭିତରେ ଲାଗିଥିବା କଳି ଥମିବାର ନାଁ ନେଉନି । ଏବେ ଉପେନ୍ଦ୍ର କୁଶୱାହା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଉପନ୍ଦ୍ର କୁଶୱାହା ଲାଲୁ-ନୀତିଶ ଯୋଡି ଉପରେ ହମଲା କରିବା ସହିତ ଦୁହିଁଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ଦୁହେଁ ୩୫ ବର୍ଷ ହେଲା ଶାସନ କରିଛନ୍ତି, ହେଲେ ଏହି ସମୟ ଭିତରେ ଅତ ପଛୁଆ ବର୍ଗଙ୍କ ହକକୁ ଛଡାଇ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଶହିଦ ଜଗଦେବ ପ୍ରସାଦ ଜୟନ୍ତୀ ଅବସରରେ ଜେଡିୟୁ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଲାଲୁ-ନୀତିଶଙ୍କ ଉପରେ ବର୍ଷିଥିଲେ । ସିଧା ସିଧା ଲାଲୁ-ନୀତିଶଙ୍କ ୩୫ ବର୍ଷ ଶାସନ ଉପରେ ପ୍ରଶ୍ନ ଉଠାଇବା ସହିତ ଏହି ସମୟ ଭିତରେ କାହାର ଶାସନ ଚାଲିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ପ୍ରଥମେ ୧୫ ବର୍ଷ, ଏହାପରେ ୧୭ ବର୍ଷ ଧରି ଅତି ପଛୁଆ ବର୍ଗଙ୍କ ହକକୁ ମାରି ଦିଆଯାଇଛି ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, କୁଶୱାହା ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଆରଜେଡିର ଲୋକମାନେ ୧୦ ପ୍ରତିଶତ ଲୋକଙ୍କ ଶାସନର କଥା କହି ୯୦ ପ୍ରତିଶତ ଲୋକଙ୍କ ହକର କଥା କହୁଛନ୍ତି । ହେଲେ ସତ ହେଉଛି, ଆଜି ବି ମାତ୍ର ୧୦ ପ୍ରତିଶତ ଲୋକ ସତ୍ତା ସହ ଜଡିତ ଅଛନ୍ତି । ରାଜ୍ୟର ୯୦ ପ୍ରତିଶତ ଲୋକ ଏବେ ବି ଶାସନଠାରୁ ଦୂରରେ ଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଉପେନ୍ଦ୍ର କୁଶୱାହା ଆରଜେଡିକୁ ନିଶାନା କରିବା ସହିତ ବିହାରରେ କେବଳ ଗୋଟିଏ ପରିବାରର ଶାସନ ଚାଲିଛି ବୋଲି କହିଛନ୍ତି । ଆରଜେଡିର ବିରୋଧରେ ଜେଡିୟୁର ଜନ୍ମ ହୋଇଛି । ହେଲେ ଆଜି ନୀତିଶ କୁମାର ପୂର୍ବ କଥାକୁ ଭୁଲି ସାରିଲେଣି । ତେବେ ଲୋକମାନେ କିନ୍ତୁ ଏହି କଥା ବୁଝିବା ଉଚିତ୍ ବୋଲି ଉପେନ୍ଦ୍ର କୁଶୱାହା କହିଛନ୍ତି । ଏହାପୂର୍ବରୁ ଉପେନ୍ଦ୍ର କୁଶୱାହା ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ । ଆରଜେଡି ସହିତ ତାଙ୍କର କଣ ଡିଲ୍ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଏବେ ବିହାର ରାଜନୀତି ସରଗରମ ରହିଛି ।