ବହୁଚର୍ଚ୍ଚିତ ମନୀଷ ହତ୍ୟାକାଣ୍ଡର ଖୋଲିଲା ଗୁମର । ସାଙ୍ଗମାନେ ହିଁ କରିଥିଲେ ହତ୍ୟା ।

332

କନକ ବ୍ୟୁରୋ : ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କର, କେମିତି ହେଲା ମୃତ୍ୟୁ । ହତ୍ୟା ନା ଆତ୍ମହତ୍ୟା । ଏହି ରହସ୍ୟ ଉପରୁ ପରଦା ଉଠାଇଛି କମିଶନରେଟ୍ ପୋଲିସ୍ । ମନୀଷଙ୍କୁ ହତ୍ୟା କରାଯାଇଛି ଓ ତାଙ୍କ ସହ ଶେଷ ରାତିରେ ଥିବା ତିନି ସାଙ୍ଗ ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ । ତେବେ ମନୀଷଙ୍କୁ କେମିତି ହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ଦେଇନି ପୋଲିସ । ଯାହାଫଳରେ ମନୀଷଙ୍କ ମୃତ୍ୟୁ ରହସ୍ୟ, ରହସ୍ୟମୟ ହୋଇ ରହିଯାଇଛି ।

ଅମ୍ରିତ୍ ବିଶ୍ୱାଳ । ମୃତ୍ୟୁଞ୍ଜୟ ମିଶ୍ର । ଦିନେଶ ମହାପାତ୍ର । ଏମାନଙ୍କ ଭଳି ସାଙ୍ଗ କାହାକୁ ନମିଳନ୍ତୁ । ଏମାନେ ଏମିତି ସାଙ୍ଗ ଯେଉଁମାନେ ମନୀଷଙ୍କ ସହ ବୁଲି ବୁଲି ସାରା ରାତି ମଉଜ କରୁଥିଲେ, କିନ୍ତୁ ହୋଟେଲ ବିଲକୁ ନେଇ ଗଣ୍ଡଗୋଳରୁ ତାଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ । ମନୀଷ ମୃତ୍ୟୁ ମାମଲା ଉପରୁ ପରଦା ଉଠାଇ ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ମନୀଷ ଓ ତାଙ୍କ ତିନି ଜଣ ସାଙ୍ଗ ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶ ପାର୍ଟି କରିବା ପାଇଁ ବାହାରିଥିଲେ । ପଟିଆର ଗୁଆଭାଜ କାଫେରେ ମନୀଷଙ୍କ ଗାଡିକୁ ପାର୍କିଂ କରିଥିଲେ । ଆଉ ଅମ୍ରିତଙ୍କ କାରରେ ପଟିଆରୁ ବାହାରି ସିଧା ଲକ୍ଷ୍ମୀସାଗରର ଏକ ହୋଟେଲରେ ପହଞ୍ଚିଥିଲେ । ଆଉ ମନୀଷଙ୍କୁ ଟ୍ରିଟ୍ ଦେବେ ବୋଲି କହି, ବିଳମ୍ବିତ ରାତିରେ ପାତ୍ରପଡାରେ ଥିବା ସାଉଥ୍ ସିଟି ହୋଟେଲରେ ପହଞ୍ଚିଥିଲେ । ସେଠାରେ, ଖାଇ ସାରିବା ପରେ ବିଲକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ବିଲ୍ କିଏ ପେମେଂଟ କରିବ, ତାକୁ ନେଇ ଆରମ୍ଭ ହୋଇଯାଇଥିଲା ସାଙ୍ଗମାନଙ୍କ ଭିତରେ ଗଣ୍ଡଗୋଳ । ଶେଷରେ ସମସ୍ତେ ମିଶି ବାର ଭିତରେ ମନୀଷଙ୍କୁ ଏକା ଛାଡି ଦେଇ ଯେଝାବାଟରେ ଚାଲି ଯାଇଥିଲେ । ବିଚରା ମନୀଷ ଘରୁ ଟଙ୍କା ମଗାଇ ବିଲ୍ ଦେଇ ବାରରୁ ବାହାରିଥିଲେ । ଆଉ ମନୀଷ ଏକୁଟିଆ ଚାଲି ଚାଲି ବାରରୁ ବାହାରିଥିଲେ ।

ସାଙ୍ଗ ସାଜିଲେ ସଇତାନ । ‘ମଣିଷ ମାରିଲେ, ପ୍ରମାଣ ନଷ୍ଟ କଲେ’ । ମନୀଷ ହୋଟେଲ ବାହାରକୁ ଆସିବା ପରେ ଆଗ ଛକରେ ପୁଣି ମୁହାଁମୁହିଁ ହୋଇଥିଲେ ସମସ୍ତେ । ଯୁକ୍ତିତର୍କ, ପାଟିତୁଣ୍ଡ ପରେ ପାତ୍ରପଡା ରୋଡରେ ମନୀଷଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ସଇତାନ ସାଙ୍ଗ । ନିଜ ଜୀବନକୁ ବଞ୍ଚାଇ ମନୀଷ ପାତ୍ରପଡା ଗାଁ ଭିତରକୁ ଦଉଡିଥିଲେ । ଆଉ ଏହି ସଇତାନ ମାନେ ଖୋଜି ଖୋଜି ମନୀଷଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମନୀଷଙ୍କ ମୁହଁରେ ଚଷମା ଓ ହାତରେ ସ୍ମାର୍ଟୱାଚ ପିନ୍ଧାଇ ପୋଖରୀ ଭିତରକୁ ମୃତଦେହକୁ ଫିଙ୍ଗି ଫେରାର ହୋଇଯାଇଥିଲେ । ଅଭିଯୁକ୍ତମାନେ ଏହିଭଳି ଅପରାଧ ଘଟାଇଥିଲେ ବୋଲି ପୋଲିସ କହିଛି ।

ଦଫା ୩୦୨- ହତ୍ୟାକାଣ୍ଡ । ଦଫା ୩୬୪(କ) – ବଟି ମାଗିବା ଉଦ୍ଦେଶ୍ୟରେ ଅପହରଣ କରିବା । ଦଫା- ୨୦୧, ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗରେ ଏହି ତିନି ଜଣଙ୍କ ସାଙ୍ଗଙ୍କୁ ହାତକଡି ପିନ୍ଧାଇଛି ପୋଲିସ । କିନ୍ତୁ ମନୀଷ ହତ୍ୟାକାଣ୍ଡ ଏବେ ବି ଅସ୍ପଷ୍ଟ । ଅନ୍ଧାର ଘେରରେ ରହିଯାଇଛି ସେହି ଶେଷ ରାତିର ରହସ୍ୟମୟ ଘଟଣା । ମନୀଷଙ୍କୁ କେମିତି ହତ୍ୟା କରାଗଲା ତାହା ଜାଣିବା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ ।