ଜେଲରେ ଆରୟନ ଭେଟିବା ପରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ବାସଭବନ ‘ମନ୍ନତ’ରେ ରେଡ୍ ।

322

କନକ ବ୍ୟୁରୋ : ଶାହାରୁଖଙ୍କ ଘରେ ଏନସିବି ଟିମ୍ । ମନ୍ନତରେ ଲାଗିଲା ନୋଟିସ । ମୁମ୍ୱାଇରେ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଦିନ ଗଡିବା ସହ ସାମ୍ନାକୁ ଆସୁଛି ନୂଆ ନୂଆ ଖୁଲାସା । ମାମଲାରେ ଶାହାରୁଖଙ୍କ ପୁଅ ଆରୟନ ଖାନ ଏବେ ଆର୍ଥର ରୋଡ୍ ଜେଲ ହାଜତରେ । ସେପଟେ ଏହି ମାମଲାରେ ଶାହାରୁଖଙ୍କ ପାଇଁ ଅଡୁଆ କମ୍ ହେବାର ନାଁ ଧରୁନି । ଆରୟନଙ୍କ ସମସ୍ତ ଇଲେକଟ୍ରୋନିକ ସରଂଜାମ ଖୋଜୁଛି ଏନସିବି ଟିମ୍ । ଆରୟନଙ୍କ ନିକଟରେ ଥିବା ମୋବାଇଲ ବାଦ୍ ଘରେ ସେ ଅନ୍ୟ କେଉଁ ସବୁ ଇଲେକ୍ଟ୍ରୋନିକ ସଂରଜାମ ବ୍ୟବହାର କରୁଥିଲେ ତାହାକୁ ଖୋଜୁଛି ଏନସିବି ଟିମ୍ । ଏହାକୁ ନେଇ ଶାହାରୁଖ ଖାନ୍ଙ୍କ ମୁମ୍ୱାଇ ବାସଭବନ ମନ୍ନତରେ ପହଂଚିଛି ଏନସିବି ଟିମ୍ । ଏନସିବିର କିଛି ଅଧିକାରୀ ଗୁରୁବାର ମନ୍ନତରେ ପହଂଚି ନୋଟିସ ଦେଇଛନ୍ତି ।

ଗୁରୁବାର ଅପରାହ୍ନରେ ଶାହାରୁଖ ଖାନଙ୍କ ଘର ମନ୍ନତରେ ପହଁଚିଥିଲା ଏନସିବି ଟିମ୍ । ଏନସିବି ଟିମକୁ ଦେଖିବା ପରେ ପ୍ରଥମେ ଭିତରକୁ ଯିବାକୁ ଦେଇନଥିଲେ ସିକୁରୁଟି ଗାର୍ଡ । ମନ୍ନତ ଭିତରକୁ ଖବର ଯାଇଥିଲା, ଏନସିବି ଅଧିକାରୀ ଆସିଛନ୍ତି ନୋଟିସ୍ ଦେବାକୁ । ଏହି ସମୟରେ ବେଶ୍ କିଛି ସମୟ ଏନସିବି ଅଧିକାରୀଙ୍କୁ ଅଟକାଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ପରେ ମନ୍ନତ ଭିତରୁ ଖବର ଆସିଥିଲା, ଆଉ ତା ପରେ ମନ୍ନତ ଭିତରକୁ ଯାଇଥିଲେ ଏନସିବି ଅଧିକାରୀ । ସାଥୀରେ ଥିଲା ନୋଟିସ ଫାଇଲ ।

– ଶାହାରୁଖଙ୍କ ମ୍ୟାନେଜରଙ୍କୁ ନୋଟିସ ଦେଲା ଏନସିବି ଟିମ
– ଆରୟନ ଖାନଙ୍କ କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ଥିଲେ ଜିମା ଦେବାକୁ ନୋଟିସ
– ନୂଆ ତଥ୍ୟ ପାଇଁ ଆରୟନଙ୍କ ସବୁ ଇଲେକ୍ଟ୍ରୋନିକ୍ସ ସରଂଜାମ ଖୋଜୁଛି ଏନସିବି ଟିମ
-ଏଥିରୁ ଏନସିବିକୁ ମିଳିପାରେ କୌଣସି ନୂଆ ତଥ୍ୟ

ମନ୍ନତରେ ଶାହାରୁଖଙ୍କ ମ୍ୟାନେଜରଙ୍କୁ ଭେଟିଥିଲେ ଏନସିବି ଟିମ୍ । ସାଥୀରେ ନେଇଥିବା ନୋଟିସକୁ ସେହି ମ୍ୟାନେଜରଙ୍କୁ ଦିଆଯାଇଥିଲା । ଶାହାରୁଖଙ୍କ ମ୍ୟାନେଜର ଏନସିବି ଟିମ ଠାରୁ ନୋଟିସ ଗ୍ରହଣ କରିଥିଲେ, ଆଉ ଏନସିବି ଅଧିକାରୀଙ୍କୁ ନୋଟିସ ଗ୍ରହଣ କରିବାର ଦସ୍ତଖତ ବି ଦେଇଥିଲେ । ଏନସିବି ଟିମ ନୋଟିସ ଦେବା ସମୟରେ ଚିତ୍ର ଉତୋଳନରେ ଅନେକ ବାର ବାଧା ଦେବାକୁ ଉଦ୍ୟମ କରୁଥିଲେ ସୁରକ୍ଷାକର୍ମୀ । ଆରୟନ ଖାନ କ୍ରୁଜ ଡ୍ରଗ୍ସ କାଣ୍ଡରେ ଫସିବା ପରେ ମନ୍ନତ ଆସିଛି ଚର୍ଚ୍ଚାକୁ । ଏପରି ସମୟରେ ଏନସିବି ଟିମ୍ ମନ୍ନତରେ ପହଁଚି ପୁଣି ନୋଟିସ ଲଗାଇଛି । ଆଉ ସ୍ପଷ୍ଟ ଭାବରେ ଏହି ନୋଟିସରେ କୁହାଯାଇଛି , ଘରେ ଆରୟନ ଖାନଙ୍କ କୌଣସି ଇଲେକଟ୍ରୋନିକ୍ସ ଉପକରଣ ଥିଲେ, ତାହାକୁ ତୁରନ୍ତ ଏନସିବି ଟିମ ନିକଟରେ ଜିମା ଦିଆଯାଉ । ନୋଟିସ ଦେବା ପରେ ଏନସିବି ଅଧିକାରୀ ମନ୍ନତରୁ ଫେରି ଆସିଥିଲେ । ହେଲେ ଏନସିବିର ଏପରି ନୋଟିସ ପରେ ଆରୟନଙ୍କ ଅଡୁଆ ବଢିବା ପରି ମନେ ହେଉଛି । ପ୍ରଶ୍ନ ଉଠୁଛି କାହିଁକି ଆରୟନଙ୍କ ଇଲେକ୍ଟ୍ରୋନିକ୍ସ ଉପକରଣ ଖୋଜୁଛି ଏନସିବି ?

ମୁମ୍ୱାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣା । ଅଡୁଆ ବଢାଇଛି ଆରୟନଙ୍କ ହ୍ୱାଟସଆପ ଚାଟ୍ । ଗତ ଅକ୍ଟୋବର ୨ ତାରିଖରେ ସାମ୍ନାକୁ ଆସିଥିଲା ମୁମ୍ୱାଇରେ ମଧ୍ୟରାତିରେ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣା । ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଗିରଫଙ୍କ ମଧ୍ୟରେ ସବୁଠାରୁ ଚର୍ଚିତ ନାଁ ଆରୟନ ଖାନ । ବଲିଉଡ ଷ୍ଟାର ଶାହାରୁଖଙ୍କ ପୁଅ ଏହି ମାମଲାରେ ଛନ୍ଦି ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଆରୟନଙ୍କ ନିକଟରେ ପ୍ରତ୍ୟକ୍ଷ ଭାବରେ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । କିନ୍ତୁ ସେ ମନ୍ନତରୁ ଯେଉଁ ସାଙ୍ଗ ମାନଙ୍କ ସହିତ ଯାଇଥିଲେ ସେହି ସାଙ୍ଗଙ୍କ ନିକଟରୁ ଉଦ୍ଧାର ହୋଇଛି ଡ୍ରଗ୍ସ । ଆରୟନଙ୍କ ମୋବାଇଲରେ ହ୍ୱାଟସ ଆପ୍ ଚାଟରୁ ମିଳିଛି ଡ୍ରଗ୍ସ ଚାଟ୍ । ଯାହା ଏବେ ଏନସିବିକୁ ତଦନ୍ତରେ ଅଧିକ ଖିଅ ଯୋଗାଇଛି । ସୂଚନା ରହିଛି ଏନସିବି ଟିମ୍ ଏହି ଚାଟ ମଧ୍ୟରେ କିଛି ଚାଟ୍ ଆରୟନ ଓ ଡ୍ରଗ୍ସ ପେଡଲରଙ୍କ ମଧ୍ୟରେ ହୋଇଛି । ଯେଉଁଥିପାଇଁ ଆରୟନଙ୍କୁ ଜାମିନ୍ ମିଳିବା ବି କଷ୍ଟକର ହୋଇଯାଉଛି ।