ଆଗାମୀ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ; ଚାଲିଛି ସେବାୟତଙ୍କ କୋଭିଡ ପରୀକ୍ଷା

112

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପସିଦ୍ଧ ରଥଯାତ୍ରା । ଆଜି ମୁଖ୍ୟମନ୍ତ୍ରୀ କରିବେ ରଥାଯାତ୍ରା ପ୍ରସ୍ତୁତିର ଶେଷ ସମୀକ୍ଷା ବୈଠକ । ସେପଟେ ଆଜିଠାରୁ ରଥଯାତ୍ରାରେ ସଂଶ୍ଲିଷ୍ଟ ହେବାକୁ ଥିବା ସେବାୟତ, ଶ୍ରୀମନ୍ଦିର କର୍ମଚାରୀଙ୍କର ହେଉଛି କୋଭିଡ ପରୀକ୍ଷା । ୪ ହଜାର ଆରଟିପିସିଆର ପରୀକ୍ଷା କରାଯିବ ।

ଗତକାଲି ୩ ରଥର ରଙ୍ଗ କାମ ଶେଷ ହୋଇଛି । ଆଜିଠାରୁ ୩ରଥରେ କନା ପଡ଼ିବା ନେଇ ଦର୍ଜୀ ସେବକଙ୍କ ସୂଚନା ଦେଇଛନ୍ତି । ସେପଟେ ଅଣସର ଘରେ ୧୫ ଦିନ ଧରି ଗୁପ୍ତ ଉପଚାର ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅଣସର ଘର ତାଟି ଫିଟିଥିବା ବେଳେ ପଟି ଦିଅଁ ମଧ୍ୟ କତା ହୋଇଛନ୍ତି । ଲକଡାଉନ ସହ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ବଡ ଦାଣ୍ଡ ସମ୍ପୁର୍ଣ୍ଣ ଖାଁ ଖାଁ ରହିଛି । ଶ୍ରୀମନ୍ଦିର ଭିତରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି ।

ମହାପ୍ରଭୁ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଦତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଖଳିିଲାଗି ସହ ଶ୍ରୀମୁଖରେ ଖଡ଼ିଲାଗି କରିଥିଲେ । ଆଜି ରାଜ ନଅରକୁ ଖଡ଼ିପ୍ରସାଦ ବିଜେନୀତି ଅନୁଷ୍ଠିତ ହେବ । ବିଧି ପରମ୍ପରା ଅନୁସାରେ ଖଡ଼ିପ୍ରସାଦ ବିଜେ ପରେ ଦତମହାପାତ୍ର ସେବକମାନେ ଶ୍ରୀଜିଉମାନଙ୍କର ଶ୍ରୀମୁଖ ଶୃଙ୍ଗାର ଅର୍ଥାତ ବନକଲାଗି ନୀତି କରିବେ ।