ଉପ ନିର୍ବାଚନ ଫଳାଫଳ : ହିମାଚଳ ପ୍ରଦେଶରେ କଂଗ୍ରେସର କ୍ଲିନସ୍ୱିପ୍, ୩ ବିଧାନସଭା ଆସନରେ ବିଜୟୀ

278

କନକ ବ୍ୟୁରୋ : ଦେଶରେ ୩ ଲୋକସଭା ଓ ୨୯ ବିଧାନସଭା ପାଇଁ ହୋଇଥିବା ଭୋଟ ଗଣତିର ଫଳାଫଳ ଆସୁଛି । ଏହି କ୍ରମରେ ହିମାଚଳ ପ୍ରଦେଶ ଶାସନରେ ଥିବା ବିଜେପିକୁ କଂଗ୍ରେସ ଝଟକା ଦେଇଛି । ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂ ବିଜେପି ପ୍ରାର୍ଥୀ କୋଶାଲ ଠାକୁରଙ୍କୁ ପରାଜିତ କରିଛନ୍ତି । ଏହାସହ ୩ ଟି ବିଧାନସଭା ଆସନରେ ବି ବିଜେପିକୁ ପରାଜିତ କରି କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଅନ୍ୟପଟେ ଆସମରେ ହୋଇଥିବା ୫ ଟି ବିଧାନସଭା ପାଇଁ ନିର୍ବାଚନରେ ବିଜେପି ମେଣ୍ଟ ଆଗୁଆ ରହିଛି । ସେହିଭଳି ମିଜୋରମରେ ଗୋଟିଏ ବିଧାନସଭା ଆସନ ପାଇଁ ହୋଇଥିବା ମତଦାନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜୟୀ ହୋଇଛି ।

ସେହିଭଳି ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ଉପ ନିର୍ବାଚନରେ ମତଦାନରେ ସବୁ ଆସନରେ ଟିଏମସି ଆଗୁଆ  ରହିଛି । ମଧ୍ୟପ୍ରଦେଶରେ ୩ ଟି ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ଏଠାରେ ଦୁଇଟି ଆସନରେ ବିଜେପି ଆଗୁଆ ରହିଛି । ସେହିଭଳି ମେଘାଳୟରେ ୩ ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ କ୍ଷମତାରେ ଥିବା ଏନପିପି ଓ ତାର ସହଯୋଗୀ ଦଳ ୟୁଡିପି ସମସ୍ତ ୩ ଟି ଆସନରେ ବିଜୟ ଲାଭ କରିଛନ୍ତି । ସେହିଭଳି ରାଜସ୍ଥାନରେ ୨ଟି ବିଧାନସଭା ଆସନରେ ହୋଇଥିବା ମତଦାନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି ।

କହିରଖୁ କି ନିର୍ବାଚନ ଜିତିବା ପରେ ଉତ୍ସବ ମନାଇବା ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ ଆୟୋଗ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଭିଡ ନଜମାଇବାକୁ ଅନୁରୋଧ କରିଛନ୍ତି ।