ଆଉ ବାଲିଯାତ୍ରାରେ ହେବନି ପାର୍କିଂ ସମସ୍ୟା । ଆଜିଠୁ ପ୍ରତି ଘଂଟାରେ ଟ୍ରାଫିକ୍ ଅପଡେଟ୍ ଦେବ କମିଶନରେଟ୍ ପୋଲିସ । ଲୋକ ଜାଣିପାରିବେ କେଉଁ ସ୍ଥାନରେ ବଢିଛି ଭିଡ଼

ଟୁଇଟର ଓ କଂଟ୍ରୋଲ ରୁମରୁ ଦିଆଯିବ ପାର୍କିଂ ଅଂଚଳର ସ୍ଥିତି

419

କନକ ବ୍ୟୁରୋ: କଟକ ବାଲିଯାତ୍ରା ଦିନ ବଢିବା ସହିତ ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ଏହାକୁ ନଜରରେ ରଖି ଆଜିଠାରୁ ପ୍ରତି ଘଂଟାରେ ଲୋକଙ୍କୁ ମିଳିବ ଭିଡକୁ ନେଇ ଅପଡେଟ୍ । ଟୁଇଟର ଓ କଂଟ୍ରୋଲରୁମରୁ ଲୋକଙ୍କୁ ଏହି ତଥ୍ୟ ମିଳିପାରିବ । ଫଳରେ ୧୦ଟି ପାର୍କିଂ ସ୍ଥାନ ମଧ୍ୟରୁ କେଉଁ ସ୍ଥାନରେ କେତେ ଭିଡ ରହିଛି ସେ ନେଇ ସୂଚନା ପାଇ ପାରିବେ ଲୋକମାନେ । ଚଳିତ ବର୍ଷ ବାଲିଯାତ୍ରା ପାଇଁ ୧୦ଟି ସ୍ଥାନରେ ୮୦ ହଜାର ଗାଡି ରଖିବାର ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ରବିବାର ଏହି ଭିଡ କାରଣରୁ ପୁରା ଅଣନିଶ୍ୱାସୀ ହୋଇଯାଇଥିଲା ବାଲିଯାତ୍ରାର ଟ୍ରାଫିକ୍ ବ୍ୟବସ୍ଥା । ସେଥିପାଇଁ ଭିଡ ନେଇ ଲୋକଙ୍କୁ ଅବଗତ କରାଇବାକୁ ଆଜି ଏପରି ନିଷ୍ପତି ନେଇଛି କମିଶନରେଟ୍ ପୋଲିସ ।

ଗତକାଲି ରବିବାର ସ୍ଥିତି ଅଧିକ ଜଟିଳ ହୋଇଥିବା ଦେଖିବାକୁ ମିଳିଥିଲା । ପାର୍କିଂ ପାଇଁ ୧୦ଟି ସ୍ଥାନରେ ୮୦ ହଜାର ଗାଡି ରଖିବାର ବ୍ୟବସ୍ଥା ଥିଲେ ବି ରବିବାର ପୁରା ଅଣନିଶ୍ୱାସୀ ହୋଇଯାଇଥିଲା ବାଲିଯାତ୍ରାର ଟ୍ରାଫିକ୍ ବ୍ୟବସ୍ଥା । ଏତିକି ବେଳେ ଆଖପାଖ ଅଂଚଳର ଅନେକ ଅନୁଷ୍ଠାନ ଓ ସ୍କୁଲ ବଢାଇଥିଲେ ସହ ଯୋଗର ହାତ । ଗାଡି ପାର୍କିଂ ପାଇଁ କିଛି ଅନୁଷ୍ଠାନ ସେମାନଙ୍କର ଗେଟ୍ ଖୋଲି ଦେଇଥିଲେ । ବାରଙ୍ଗ, ତ୍ରିଶୁଳିଆ, ଆଠଗଡ଼ ରାସ୍ତାରେ ଖାସ୍ କରି ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ତେଣୁ ଏନଏଚ୍-୧୬ ରାସ୍ତାରେ ଯିବାକୁ ଆଡଭାଇଜରୀ ଜାରି କରିଥିଲା କମିସନରେଟ୍ ପୋଲିସ । ତେବେ ଆଜି ସୋମବାର ଗତକାଲି ଭଳି ଭିଡ ଦେଖିବାକୁ ମିଳିବନି ବୋଲି ଆଶା ରଖିଛି କମିଶନରେଟ୍ ପୋଲିସ । ତେବେ ଆଗରୁ ବ୍ୟବସ୍ଥା ଥିବା ୧୦ଟି ପାର୍କିଂ ସ୍ଥାନ ଯଥେଷ୍ଟ ବୋଲି ପୋଲିସ କହିଛି । ଏହା ସହିତ ଗତକାଲି ପାର୍କିଂ ସମସ୍ୟା ବେଳେ ହାତ ବଢାଇଥିବା ଅନୁଷ୍ଠାନକୁ ଧନ୍ୟବାଦ୍ ଦେଇଛନ୍ତି ପୋଲିସ କମିଶନର ।