ଶିଳ୍ପପତିଙ୍କ ଇସାରାରୁ ବୁଝିବା ସହଜ, ୨୦୧୯ରେ ଓଡ଼ିଶାରେ କିଏ ସରକାର ଗଢ଼ିବ ।

‘ତୃଣମୂଳସ୍ତରରେ ବିରୋଧୀ କରି ପାରୁନାହାନ୍ତି ରଣନୀତି । ନବୀନଙ୍କ ଲୋପ୍ରିୟତା ଏବେ ବି ରାଜ୍ୟରେ ଅତୁଟ ରହିଛି । ଏବଂ ପୁଞ୍ଜିପତିଙ୍କ ଠାରୁ ଆରମ୍ଭ କରି ଜାତୀୟସ୍ତରରେ ନବୀନଙ୍କ ନେତୃତ୍ୱକୁ ଅନେକ ପସନ୍ଦ କରୁଛନ୍ତି’ ।

1,673

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ କିଏ ଗଢ଼ିବ ସରକାର ଆଉ କାହା ସପକ୍ଷରେ ଯିବ ଜନାଦେଶ ତାକୁ ନେଇ ଏବେଠୁ ରାଜ୍ୟରେ ଚାଲିଛି ଚର୍ଚ୍ଚା । କାରଣ ଅନେକ ସମୟରେ ବିଭିନ୍ନ ସର୍ଭେ ରିପୋର୍ଟ କେତେବେଳେ ବିରୋଧୀ ତ କେତେବେଳେ ଶାସକ ଦଳର ବଢ଼ାଉଛି ଚିନ୍ତା । କିନ୍ତୁ କିଛି ରାଜ୍ୟରେ ଦୀର୍ଘ ୧୮ ବର୍ଷ ଧରି ସରକାର ଗଢ଼ିଥିବା ବିଜେଡ଼ି ପୁନର୍ବାର କ୍ଷମତାକୁ ଆସିବ ବୋଲି କହିଛନ୍ତି ରାଜ୍ୟର କିଛି ବରିଷ୍ଠ ସାମ୍ବାଦିକ । ଆଉ ବିଜେଡିର ଶାସନକୁ ବଜାୟ ରଖିବାରେ ଭୂମିକା ଗ୍ରହଣ କରିପାରେ ଅନେକ ଯୋଜନା ଏବଂ ନିଷ୍ପତି ।

ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ କହିବା ମୁତାବକ, ‘ବିଜେଡ଼ିକୁ ମାତ୍ ଦେବା ପାଇଁ ଏପର୍ଯ୍ୟନ୍ତ କୌଣସି ବିରୋଧୀ ଦଳ ନିଜର ସ୍ଥିତି ବଜାୟ ରଖିପାରି ନାହିଁ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନ ବର୍ତ୍ତମାନ ଜଣେ ଜାତୀୟସ୍ତରରେ ବ୍ରାଣ୍ଡ୍ ପାଲଟି ଗଲେଣି । ସେଥିପାଇଁ ମେକ୍ ଇନ୍ ଓଡ଼ିଶା ଭଳି କନକ୍ଲେଭରେ ଦେଶର ପୁଞ୍ଜିପତିମାନେ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେବା ଦର୍ଶାଉଛି ଯେ, ବିଭିନ୍ନ କର୍ପୋରେଟ୍ ହାଉସମାନେ ମଧ୍ୟ ନବୀନଙ୍କ ନେତୃତ୍ୱକୁ ପସନ୍ଦ କରୁଛନ୍ତି ।

ଅନ୍ୟପଟେ ୨୦୦୦ ମସିହା ପରଠାରୁ ନବୀନ ସରକାରରେ ଅଧିକାଂଶ ଅଣ ଓଡ଼ିଆ ଆଇଏଏସ ଏବଂ ଆଇପିଏସ ରହିଥିଲେ ମଧ୍ୟ ରାଜ୍ୟରେ ଏକ ପ୍ରକାର ସ୍ଥିର ଶାସନ ଚାଲିଛି । ଯାହାକି ନବୀନଙ୍କ ନେତୃତ୍ୱକୁ ଅଧିକ ଲୋକପ୍ରିୟ କରାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି କହିଛନ୍ତି ରବି ଦାସ । କେବଳ ଏତିକି ନୁହେଁ ତୃଣମୂଳସ୍ତରରେ ଥିବା ଓଏଏସ ଅଫିସରମାନେ ନବୀନଙ୍କ ନେତୃତ୍ୱକୁ ନେଇ ସନ୍ତୁଷ୍ଟ ଥିବା ଅନେକ ସମୟରେ ପରିଲିକ୍ଷିତ ହୋଇଛି । ଏହି ସବୁ କାରଣ ହୁଏତ ୨୦୧୯ ନିର୍ବାଚନରେ ନବୀନଙ୍କୁ ପୁଣିଥରେ କ୍ଷମତାକୁ ଆଣିବାରେ ସହାୟକ ହେବ ବୋଲି ରବି ଦାସ ମତ ପ୍ରକାଶ କରିଛନ୍ତି’ ।

ସେହିଭଳି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସତପଥୀ ମଧ୍ୟ ୨୦୧୯ ନିର୍ବାଚନରେ କାହିଁକି ସରକାର ବଦଳିବ ନାହିଁ ବୋଲି ପ୍ରମୂଖ କାରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ତାଙ୍କ କହିବା ମୁତାବକ, ‘ବିଜେଡ଼ି ଭଳି ଅନି କୌଣସି ବିରୋଧୀ ଦଳମାନେ ତୃଣମୂଳ ସ୍ତରରେ ସୁଦୃଢ଼ ନାହାନ୍ତି । ଯାହାକି ନିର୍ବାଚନ ସମୟରେ ବିଜେଡ଼ି ଭଳି ଅନ୍ୟ କୌଣସି ଦଳ ଭୋଟ୍ ବ୍ୟାଙ୍କକୁ ଗତିଶୀଳ ଦେଇପାରିବ ନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ଯଥା ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୨୦୧୯ ନିର୍ବାଚନରେ ପ୍ରମୂଖ ଭୂମିକା ବହନ କରିବ । ବିଭିନ୍ନ ସମୟରେ ଅନେକ ବରିଷ୍ଠ ନେତା ଦଳରୁ ବହିଷ୍କାର ହୋଇଥିଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ମଳିନ ପଡ଼ି ନାହିଁ । ଏବଂ ବର୍ତ୍ତମାନ ସମୟରେ ନବୀନଙ୍କ ଲୋକପ୍ରିୟତା ରାଜ୍ୟରେ ଅତୁଟ ରହିଛି । ଦଳରେ ଏବେ ବି କିଛି ଦାଗି ନେତା ଏବଂ ଲୋକପ୍ରିୟ ନଥିବା ନେତାଙ୍କୁ ବଦଳାଇ ନୂଆ ଚେହେରାଙ୍କୁ ସୁଯୋଗ ଦେଲେ ଦଳ ନିଶ୍ଚିତ ୨୦୧୯ରେ କ୍ଷମତାରେ ରହିବ ବୋଲି ଶ୍ରୀ ସତପଥୀ କହିଛନ୍ତି’ ।